ଦେଶରେ ଦିନକରେ ପୁଣି ୨୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ , ଗଲାଣି ୪୨୫ ଜୀବନ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ସାରା ବିଶ୍ୱରେ କରୋନା ପ୍ରଭାବିତ ଦେଶ ତାଲିକାରେ ଋଷ କୁ ପଛରେ ପକାଇ ଭାରତ ୩ ୟ ସ୍ଥାନରେ ପହଂଚିଛି । ପ୍ରତିଦିନ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଏବେ ଭୟ ବଢ଼ାଇଛି । ଦେଶରେ ଆଜି ପୁଣି ୨୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୭ ଲକ୍ଷ ନିକଟତର ବେଳେ ମୃତ୍ୟୁ ସଂଖ୍ୟା ୧୯ ହଜାର ୬୯୩ ଛୁଇଁଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ୪୨୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ହଜାର ୨୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୯୭ ହଜାର ୪୧୩କୁ ବୃଦ୍ଧି ପାଇଛି ।
କେବଳ ମହାରାଷ୍ଟ୍ରରେ ଗୋଟିଏ ଦିନରେ ୬ ହଜାର ୫୫୫, ତାମିଲନାଡୁରେ ୪୧୫୦, ଦିଲ୍ଲୀରେ ୨୨୪୪ଟି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦେଶରେ ମୋଟ ଆକ୍ଟିଭ କେସ୍ ୨,୫୩,୨୮୭ ଥିବାବେଳେ ୪,୨୪,୪୩୭ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।