ଆମେରିକାରେ ଆଗକୁ ଭୟଙ୍କର ସ୍ଥିତି ! ଚେତାବନୀ ଦେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ
ନ୍ୟୁୟର୍କ, (ଓଡିଶା ଟାଇମ୍): ବିପଦ ଟଳିନାହିଁ । ଆମେରିକାରେ ପୁଣି ତାଣ୍ଡବ ରଚିବ କରୋନା । ଆଗକୁ ଆହୁରି କଷ୍ଟ ସହିବ ୟୁଏସ । ଏନେଇ ଚେତାଇ ଦେଇଛନ୍ତି ଆମେରିକୀୟ ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫାଓସି ।
ଏକ ଆଞ୍ଚଳିକ ଗଣମାଧ୍ୟମ ସହ ସାକ୍ଷାତକାରରେ ଆନ୍ଥୋନୀ କହିଛନ୍ତି ଯେ, କିଛି ଦିନ ପରେ ଆମେରିକା ପାଇଁ ବଡ ବିପଦ ଆସୁଛି । ଏନେଇ ସଜାଗ ରହିବାକୁ ହେବ । ଡେଲଟା ଭାରିଆଣ୍ଟ ସବୁଠୁ ବେଶୀ ପ୍ରଭାବିତ କରିବ । ତେବେ ଅନେକ ଲୋକ ଟିକା ନେଇ ସାରିଛନ୍ତି । ଫଳରେ କେତେକାଂଶରେ ଉପଶମ ମିଳିପାରେ ।
ନିକଟରେ .ୟୁଏସ ରାଷ୍ଟ୍ରପତି ଜୋ ବିଡେନ କହିଥିଲେ ଯେ ଡେଲଟା ଭାରିଆଣ୍ଟର ମାମଲା ବଢିଲେ ଦେଶରେ କିଛି ନୂଆ ପ୍ରତିବନ୍ଧକ ଲାଗିପାରେ । ଆନ୍ଥୋନୀ କିନ୍ତୁ ପୁଣି ଥରେ ଲକ ଡାଉନ୍ ଲାଗିବ ନାହିଁ ବୋଲି ପୂର୍ବାନୁମାନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ଆଉ ଲକଡାଉନ୍ ଲାଗୁ ନକରି ପାରନ୍ତି । ଯେଉଁ ସ୍ଥାନରେ କେସ୍ ବେଶୀ ଆସୁଛି ସେଠାକାର ଲୋକେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ । ଅତିଶୀଘ୍ର ସମସ୍ତେ ଭାକସିନ୍ ନେଲେ ସଂକ୍ରମଣ ବଢିବ ନାହିଁ । ସରକାର ଲଗାତର ଭାବେ ଲୋକଙ୍କୁ ଟିକା ନେବା ପାଇଁ ସଚେତନ କରୁଛନ୍ତି । ସୂଚନାଯୋଗ୍ୟ, ଆମେରିକାରେ ଏବେ କଟକଣା କୋହଳ ହୋଇଛି । ଲୋକଙ୍କୁ ଆଉ ମାସ୍କ ପିନ୍ଧିବାକୁ ବାଧ୍ୟ କରାଯାଉ ନାହିଁ । ତେବେ କିଛି ସପ୍ତାହ ହେଲା ଅନେକ ରାଜ୍ୟରେ ସ୍ଥିତି ବିଗିଡିବାରେ ଲାଗିଛି । ତେଣୁ ବିଶେଷଜ୍ଞମାନେ ସତର୍କ ରହିବାକୁ ଲଗାତର ଭାବେ ପରାମର୍ଶ ଦେଉଛନ୍ତି ।











