ଅକ୍ସିଜେନ ରିପୋର୍ଟକୁ ନେଇ ବିଜେପି-ଆପ ମୁହାଁମୁହିଁ: ପରସ୍ପର ଉପରେ ଆଣିଲେ ମିଥ୍ୟା ଅଭିଯୋଗ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦିଲ୍ଲୀ ପାଇଁ ଅନ୍ୟ ରାଜ୍ୟରେ ଅକ୍ସିଜେନ ସଂକଟ ହୋଇଥିବା ଅଭିଯୋଗ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । କରୋନାର ଦ୍ୱିତୀୟ ଲହରୀରେ ଅକ୍ସିଜେନ ବ୍ୟବହାର ଉପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଅଡିଟ୍ ଟିମ୍ ରିପୋର୍ଟ ପ୍ରକାଶ କରିଛି । କରୋନା ସଙ୍କଟ ମଧ୍ୟରେ ରାଜ୍ୟ ସରକାର ବଢ଼େଇ ଚଢ଼େଇ କେନ୍ଦ୍ର ନିକଟରେ ଅକ୍ସିଜେନ ଦାବି କରିଥିବା ଏଥିରୁ ଜଣାପଡ଼ିଛି । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଭାରତୀୟ ଜନତା ପାର୍ଟି ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଶ୍ନ କରିଛି । ଏହା ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅମ୍ଳଜାନ ଯୋଗାଣକୁ ନେଇ ରାଜନୀତି କରୁଥିବା ଅଭିଯୋଗ ହୋଇଛି । ଦିଲ୍ଲୀ ସରକାର ମଧ୍ୟ ଏହାର ପ୍ରତ୍ୟୁତର ଦେଇଛନ୍ତି ।
ରିପୋର୍ଟ ଆସିବା ପରେ ଭାରତୀୟ ଜନତା ପାର୍ଟି କହିଛି, ଅରବିନ୍ଦ କେଜ୍ରିୱାଲ ଏବଂ ଦିଲ୍ଲୀ ସରକାର ଅମ୍ଳଜାନକୁ ନେଇ ଯେଉଁ ପ୍ରକାର ରାଜନୀତି କରିଛନ୍ତି ତାହା ଆଜି ପ୍ରକାଶ ପାଇଛି । କେଜ୍ରିୱାଲ ଏକ ଜଘନ୍ୟ ଅପରାଧ କରିଛନ୍ତି । ଦିଲ୍ଲୀର ଅମ୍ଳଜାନ ଅଡିଟ୍ ପ୍ୟାନେଲରେ ଆସିଥିବା ରିପୋର୍ଟରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଆଶ୍ଚର୍ଯ୍ୟଜନକ । ଦିଲ୍ଲୀ ସରକାର ଅମ୍ଳଜାନର ଆବଶ୍ୟକତା ୪ ଗୁଣ ବୃଦ୍ଧି କରିଛନ୍ତି । ଆବଶ୍ୟକଠାରୁ ୪ ଗୁଣା ଅଧିକ ଅକ୍ସିଜେନ ମଗେଇବାରୁ ଅନ୍ୟ ରାଜ୍ୟ ଗୁଡ଼ିକରେ ସଂକଟ ସୃଷ୍ଟି ହୋଇଥିଲା । ‘ଦିଲ୍ଲୀ ଡାକ୍ତରଖାନାରେ ଅମ୍ଳଜାନ ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଛନ୍ତି, ଯେଉଁଥି ପାଇଁ ଅରବିନ୍ଦ କେଜ୍ରିୱାଲ ଦାୟୀ । ସୁପ୍ରିମକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବେ ବୋଲି ଆଶା କରାଯାଉଛି । ସେ କରିଥିବା ଅପରାଧ ପାଇଁ ତାଙ୍କୁ ଦଣ୍ଡିତ କରାଯିବ।
ସେପଟେ ସମ୍ବିତଙ୍କ ଆରୋପକୁ ଖଣ୍ଡନ କରିଛନନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ବିଜେପି ଯେଉଁ ରିପୋର୍ଟ କଥା କହୁଛି ସେମିତି କିଛି ନାହିଁ ବୋଲି ସଫେଇ ଦେଇଛନ୍ତି ସିସୋଦିଆ । ଓଲଟା ବିଜେପି ଉପରେ ଦୋଷ ଲଦି କହିଛନ୍ତି, ପ୍ରକାଶ ପାଇଥିବା ରିପୋର୍ଟ ବିଜେପି ନିଜ ପାର୍ଟି ମୁଖ୍ୟାଳୟରେ ପ୍ରସ୍ତୁତ କରିଛି ।











