ଓଡ଼ିଶା ସରକାର ଚଳିତବର୍ଷ ୭୧ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିବା ବେଳେ ଆରମ୍ଭରୁ ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଲାଣି

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତକାଲି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁ ିତ ହୋଇ ଯାଇଛି । ଏହି ବୈଠକରେ ରାଜ୍ୟ କମିଟିର ସମସ୍ତ କର୍ମକର୍ତା, ଜିଲ୍ଲା କମିଟିର ଅଧ୍ୟକ୍ଷମାନେ ଯୋଗଦେଇ ସରକାରଙ୍କର ଧାନ କ୍ରୟ ବ୍ୟବସ୍ଥା ବହୁ ଆଡ଼ମ୍ବରରେ ଲଘୁକ୍ରିୟାରେ ପରିଣତ ହେବା ସହିତ ସରକାର ଚାଷୀଙ୍କୁ କଥା ଦେଇ ଠିକଣା ସମୟରେ ଟୋକନ ଯୋଗାଇ ପାରିନାହାନ୍ତି ବୋଲି ବୈଠକରେ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ । ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଚାଷୀ ଧାନ ଅମଳକରି ବିକିବାକୁ ତୟାର । କିନ୍ତୁ ସରକାରଙ୍କ ପଶାପାଲିରେ ଚାଷୀ ଛନ୍ଦି ହୋଇଯାଇଛି ।

ଯେଉଁ ଚାଷୀ ଧାନ ଅମଳ କରି ବିକିବାକୁ ପ୍ରସ୍ତୁତ ସେମାନଙ୍କ ପାଖରେ ଟୋକନ ପହଂଚୁ ନାହିଁ । କିନ୍ତୁ ଯେଉଁ ଚାଷୀ ଧାନ ଅମଳ କରି ନାହାନ୍ତି ସେମାନଙ୍କ ପାଖରେ ଟୋକନ ପହଂଚିଛି । ଏ କଥା ଜାଣି ଚାଷୀ ଆଶ୍ଚର୍ଯ୍ୟ ଓ ମର୍ମାହତ ବୋଲି ବୈଠକରେ ସୂଚନା ଦେଇଥିଲେ । ଏପରିକି ଗତବର୍ଷ ଟୋକନରେ ଏକକାଳୀନ ଚାଷୀଙ୍କଠାରୁ ୧୦୦ କ୍ୱିଂଟାଲ ଧାନ କ୍ରୟ କରାଯାଇଥିବା ବେଳେ ଚଳିତ ବର୍ଷ ଗୋଟିଏ ଟୋକନଗରେ କିପରି ୭୫ କ୍ୱିଂଟାଲ ଧାର୍ଯ୍ୟ କରାଯାଇଛି ଓ ଆଉ ୨୫ କ୍ୱିଂଟାଲ ବଳକା ଧାନ ଚାଷୀ ବିକିବ କିପରି ବୋଲି କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏପରିକି ଟୋକନର ଅବଧି ୧ମାସ ରଖାଯାଇଥିବା ବେଳେ ଠିକଣା ସମୟରେ ଟୋକନ ନ ପହଂଚିଲେ ଚାଷୀ ତା’ର ଧାନ ବିକ୍ରିକରି ପାରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଯେଉଁଥିରେକି ଗତବର୍ଷ ଅପେକ୍ଷା ଏବର୍ଷ ବ୍ୟତିକ୍ରମ ଦେଖା ଦେଇଛି । ଗତ ରବି ଋତୁ ମଇ-୧୬ରୁ ଜୁନ୍‌-୧୬ ମଧ୍ୟରେ ଟୋକନ ଅବଧି ସମୟ ସୀମା ପାର ହୋଇଯାଇଥିବା ହେତୁ ବରଗଡ଼ ଜିଲ୍ଲାର ୧ ହଜାରରୁ ଅଧିକ ଚାଷୀ ଅଭାବୀ ଧାନ ବିକ୍ରିର ଶିକାର ହୋଇଛନ୍ତି । ଏଥିପାଇଁ କିଏ ଦାୟୀ ହେବ? ବ୍ୟବସ୍ଥିତ ଢଙ୍ଗରେ ମଣ୍ଡି ଅଛି ବୋଲି ସରକାର ବାହାବା ମାରୁଛନ୍ତି । କିନ୍ତୁ ବହୁ ମଣ୍ଡିରେ ଭିତିଭୂମି ନାହିଁ, ବାଉଣ୍ଡରିଙ୍ଗ ୱାଲ ମଧ୍ୟ ନାହିଁ । ଫଳରେ ଚାଷୀ ନିଜ ଶସ୍ୟକୁ ମଣ୍ଡିରେ ସୁରକ୍ଷିତ ମଣୁନାହାନ୍ତି । ଖାଲି ସେତିକି ନୁହେଁ, ପ୍ରତି ବସ୍ତାରେ କଟଣୀ ଛଟଣୀ କରାଯାଉଛି । ଏଫ୍‌.ଏ.କ୍ୟୁ ଆଳରେ ପ୍ରତି ବସ୍ତାରେ ୩ କେଜି ରୁ ୫ କେଜି ପର୍ଯ୍ୟନ୍ତ ଧାନ କଟା ଯାଉଛି । ହୀରାକୁଦ କମାଣ୍ଡ ଅଂଚଳର ଚାଷୀ ଖରିଫ୍ ଧାନ ରଖି କରିବେ କଣ? ଖରିଫ୍ ପରେ ରବି ଚାଷ ପାଇଁ ଚାଷୀ ସଜବାଜ ।

କିନ୍ତୁ ଖରିଫ୍ ଧାନ ବିକ୍ରୟ ନ ହେବା ଏବେ ଚିନ୍ତାର କାରଣ ହୋଇଛି । ଏଭଳି ସଙ୍ଗୀନ ପରିସ୍ଥିତିରେ ଧାନର ଅଭାବୀ ବିକ୍ରି ପାଇଁ ସରକାରଙ୍କ ବ୍ୟବସ୍ଥିତ ଧାନ କ୍ରୟ ନୀତି ଚାଷୀଙ୍କ ସ୍ୱାର୍ଥରେ ନା ମିଲର ଓ ସରକାରଙ୍କ ସ୍ୱାର୍ଥରେ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଜଳସେଚିତ ଅଂଚଳରୁ ୧୯ କ୍ୱିଂଟାଲ, ଅଣ ଜଳସେଚିତ ଅଂଚଳରୁ ୧୩ କ୍ୱିଂଟାଲ ଧାନ କ୍ରୟ ବ୍ୟବସ୍ଥାରେ ଅନେକ ଅଂଚଳର ଚାଷୀଙ୍କ ପାଇଁ କ୍ଷତିର କାରଣ ହୋଇଛି । ଅଂଚଳ ଭିତିରେ ଫସଲ ଉତ୍ପାଦନ ସ୍ଥିତିକୁ ନେଇ ଧାନ କ୍ରୟ କରାଯିବା ଉଚିତ୍ । ସେହିଭଳି ମନରେଗା ଜବ୍‌କାର୍ଡ ହିତାଧିକାରୀଙ୍କୁ ବର୍ଷକୁ ୨୦୦ ଦିନ କାମ ସରକାର ଯୋଗାଇ ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି ।

ଦ୍ୱିତୀୟତଃ କେନ୍ଦ୍ର ବିଜେପି ସରକାର କୌଣସି ଜଣେ ଚାଷୀଙ୍କ ସହିତ ବିଚାର ବିମର୍ଷ ନ କରି ଅଣ ସାମ୍ବିଧାନିକ ଭାବରେ ଗଣତନ୍ତ୍ରକୁ ହତ୍ୟାକରି ସଂସଦର ବିରୋଧୀଙ୍କୁ ବିଶ୍ୱାସକୁ ନ ନେଇ ଏକ ତରଫା ଭାବେ ଯେଉଁ ତିନୋଟି କଳା କୃଷି ଆଇନ୍ ଗ୍ରହଣ କରିଛନ୍ତି ଏଥିରେ ବାସ୍ତବତା କେତେ? ପଞ୍ଜାବ ସରକାର ଯେପରି ସେମାନଙ୍କ ରାଜ୍ୟର ଚାଷୀଙ୍କ ବୃହତର ସ୍ୱାର୍ଥ ପାଇଁ କେନ୍ଦ୍ରର ତିନୋଟି କଳା କୃଷି ଆଇନର ସଂଶୋଧନ ନିମନ୍ତେ ତାଙ୍କ ବିଧାନସଭାରେ ନିଷ୍ପତି ନେଲେ ସେହିପରି ଯଦି ଓଡ଼ିଶାର ଚାଷୀଙ୍କ ସ୍ୱାର୍ଥ ପାଇଁ ନବୀନବାବୁ ଚିନ୍ତିତ, ତେବେ ଆସନ୍ତା କାଲି ବିଧାନସଭାରେ ଏହି କୃଷି ଆଇନରେ ପରିବର୍ତନ କରି ଏମ.ଏସ୍‌.ପି ସୁନିଶ୍ଚିତ କରନ୍ତୁ ।

ବିଶେଷ କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ଯେଉଁମାନେ କମ୍ ମୂଲ୍ୟରେ କ୍ରୟ କରିବେ, ସେମାନଙ୍କୁ ଅର୍ଥଦଣ୍ଡ ଓ କାରାଦଣ୍ଡରେ ଦଣ୍ଡିତ କରିବା ପାଇଁ ଆଇନ ପ୍ରଣୟନ କରିବାକୁ କିଷାନ କଂଗ୍ରେସ ଦୃଢ଼ ଦାବୀ କରିଛି । ଦାବୀଗୁଡ଼ିକ ମଧ୍ୟରେ ଧାନ ବିକ୍ରି କରିବା ପାଇଁ ପ୍ରସ୍ତୁତ ଥିବା ଚାଷୀଙ୍କଠାରୁ ତୁରନ୍ତ ଧାନ କ୍ରୟ କରାଯାଉ ଏବଂ ତତ୍‌କ୍ଷଣାତ ମଣ୍ଡିରେ ଟୋକନ ଜେନରେଟିଙ୍ଗ ବ୍ୟବସ୍ଥା ସହ ୨୪ ଘଂଟା ମଧ୍ୟରେ ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ଦିଆଯାଉ, ଗତବର୍ଷ ଭଳି ଏକକାଳୀନ ଟୋକନ ଇସ୍ୟୁରେ ୧୦୦ କ୍ୱିଂଟାଲ ଧାନ କ୍ରୟ କରାଯାଉ, ଚାଷୀର ସମସ୍ତ ବଳକା ଧାନ ନିର୍ଦ୍ଧାରିତ ସମୟ ମଧ୍ୟରେ କ୍ରୟ କରାଯାଉ, ଟୋକନ ଅବଧି ଉଚ୍ଛେଦ କରାଯାଉ ଓ ପଞ୍ଜାବ ସରକାରଙ୍କ ଭଳି ଓଡ଼ିଶା ସରକାର ବିଧାନସଭାରେ କଳା କୃଷି ଆଇନର ସଂଶୋଧନ ବ୍ୟବସ୍ଥା ଗ୍ରହଣ କରନ୍ତୁ ଏବଂ ଯେଉଁଠି ନିର୍ଦ୍ଧାରିତ ସହାୟକ ମୂଲ୍ୟଠାରୁ କମ୍ ମୂଲ୍ୟରେ ଧାନ କିଣାଯାଉଛି ସମ୍ପୃକ୍ତ ସଂସ୍ଥାଙ୍କ ପ୍ରତି ଜୋରିମାନା ଓ ଜେଲ୍ ଦଣ୍ଡର ନିୟମ ପ୍ରଣୟନ କରାଯାଉ । ତୁରନ୍ତ ଏହାର ସମାଧାନ କରାନଗଲେ ରାଜ୍ୟ କିଷାନ କଂଗ୍ରେସ ଚଳିତ ମାସ ୨୫ ତାରିଖରୁ କୃଷକମାନଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ପଶ୍ଚିମ ଓଡ଼ିଶାରୁ ରାଜରାସ୍ତାକୁ ଓହ୍ଲାଇବା କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କିଷାନ କଂଗ୍ରେସ କର୍ମକର୍ତା ସର୍ବଶ୍ରୀ ଶଶୀଭୂଷଣ ପାତ୍ର, ସୁବାସ ରାଉତ, ବସନ୍ତ ମହାରଣା, ନିରଞ୍ଜନ ବେହେରା, ବୃନ୍ଦାବନ ଖଟେଇ, ମକର ପ୍ରଧାନ, ରଘୁନାଥ ପଲିଆ, ଯଶୋଦାନନ୍ଦନ ସିଂ, ତାପସ ମିଶ୍ର, ସାଇପ୍ରସାଦ ପାତ୍ର, ପଦ୍ମଚରଣ ସାହୁ, ଅରବିନ୍ଦ ସାମଲ, ଦଶରଥ ସିଂ ପ୍ରମୁଖ ବହୁ କର୍ମକର୍ତା ଓ ଜିଲ୍ଲା ଅଧ୍ୟକ୍ଷ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *