ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ପରଲୋକ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ରବିବାର ରାତିରେ ଭୋରାଙ୍କୁ ଦିଲ୍ଲୀର ଫୋର୍ଟିସ୍ ଏସ୍କର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ଏଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ମୋତିଲାଲ ଭୋରା ବହୁ ବର୍ଷ ଧରି ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରିଥିଲେ ଏବଂ ପରେ ୧୯୬୮ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ। ରବିବାର ଶ୍ରୀ ଭୋରା ତାଙ୍କର ୯୩ ତମ ଜନ୍ମଦିନ ପାଳନ କରିଥିଲେ।
ତାଙ୍କ ପରିବାର ସଦସ୍ୟ କହିଛନ୍ତି ଯେ କରୋନା ଭୂତାଣୁ ସଂକ୍ରମଣ ପରେ ସ୍ୱାସ୍ଥ୍ୟଗତ ଜଟିଳତା ଯୋଗୁଁ ଏକ ଘରୋଇ ଡାକ୍ତରଖାନାରେ ତଙ୍କର ମୃତ୍ୟୁ ଘଟିଛି। ସେ ମାତ୍ର କିଛି ସପ୍ତାହ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ ଏବଂ ଅନେକ ଦିନ ଧରି ଏମସ୍ ରେ ଚିକିତ୍ସିତ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା।
ଶ୍ରୀ ଭୋରା ୧୯୭୦ ରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଜିତିଥିଲେ ଏବଂ ମଧ୍ୟପ୍ରଦେଶର ସଡକ ପରିବହନ ନିଗମର ଡେପୁଟି ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହୋଇଥିଲେ। ସେ ୧୯୭୭ ଏବଂ ୧୯୮୦ ମସିହାରେ ମଧ୍ୟପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୧୯୮୦ ରେ ଅର୍ଜୁନ ସିଂହ କ୍ୟାବିନେଟରେ ଉଚ୍ଚଶିକ୍ଷା ବିଭାଗର ଚେୟାରମ୍ୟାନ୍ ହୋଇଥିଲେ।