ସାଧାରଣ ଉଦ୍ୟୋଗରେ ଚାଲିଛି ସ୍ଵାସ୍ଥ୍ୟବୀମା କାରବାର, କଂଗ୍ରେସ କହିଲା ଅଫିସରଙ୍କ ଯାଗୁ ୧୭୩୩ କୋଟି କ୍ଷତି

ଭୁବନେଶ୍ୱର(ଓଟି): ରାଜ୍ୟ ସାଧାରଣ ଉଦ୍ୟୋଗ କାର୍ଯ୍ୟାଳୟଟି ଗତ ୪ ବର୍ଷ ହେଲା ସ୍ୱାସ୍ଥ୍ୟବୀମା କମ୍ପାନୀଗୁଡ଼ିକର ଶାଖା କାର୍ଯ୍ୟାଳୟ ପାଲଟି ଯାଇଛି। ସେଠାରେ ସରକାରୀ କର୍ମଚାରୀ ଓ ବିଭିନ୍ନ ନିଗମ କର୍ମଚାରୀଙ୍କୁ ବର୍ଷ ତମାମ ସ୍ୱାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ କରିବାର କାମ ଚାଲିଛି । ରିତିମତ ଟେବୁଲ ଚୌକି ପକାଇ କମ୍ପାନୀର ଏଜେଂଟମାନେ ସେମାନଙ୍କ ବ୍ୟବସାୟ କରୁଥିବାରୁ ପ୍ରତିଦିନ ଶହ ଶହ ଲୋକଙ୍କ ଭିଡ଼ ବି ଜମୁଛି । ଆଉ ଏଥିରେ ଅଫିସରମାନଙ୍କ ସହଯୋଗ  ଓ ସଂପୃକ୍ତି ରହିଛି ବୋଲି ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ।

କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିନଳୀରେ ଶ୍ରୀ ପାଣ୍ଡବ କହିଛନ୍ତି, ସାଧାରଣ ଉଦ୍ୟୋଗ ବିଭାଗ ଦୁର୍ନୀତି ଓ ଅନିୟମିତାରେ ବୁଡ଼ି ରହିଛି।  ଗତ ୭ ବର୍ଷ ହେଲା ବିଭାଗର ପ୍ରମୁଖ ଶାସନ ସଚିବ କୌଣସି କାମ ନକରି ଆଡା ଜମାଇ ବସିଛନ୍ତି । ଦିନଟିଏ ମଧ୍ୟ ଅଫିସକୁ ଆସୁ ନାହାଁନ୍ତି। ତାଙ୍କୁ ଦେଖି ନିଯୁକ୍ତିଠାରୁ ଆରମ୍ଭ କରି ଦୈନନ୍ଦିନ କାର୍ଯ୍ୟପରିଚାଳନା ସବୁଥିରେ ଦୁର୍ନୀତି ଦେଖିବାକୁ ମିଳୁଛି। ଏହି ହେତୁ କେବଳ ୨୦୧୯-୨୦ ଆର୍ଥିକ ବର୍ଷରେ ନିଗମଗୁଡ଼ିକ କ୍ଷତିରେ ଚାଲୁଛନ୍ତି ଏବଂ ୯ଟି ଉଦ୍ୟୋଗରେ  ୧୭୩୩ କୋଟି ଟଙ୍କା କ୍ଷତି ହୋଇଥିବା ସେ ଅଭିଯୋଗ କରିଛନ୍ତି।

ବିଭାଗର ସହାୟତା ପାଇଁ ଗଠିତ ଓଏସଆରଏଫଏସ୍ ସୋସାଇଟି ସକାଶେ ସରକାର ଦେଇଥିବା ୫୦ କୋଟି ଟଙ୍କାର କର୍ପସ ପାଣ୍ଠିରୁ ବେଆଇନ ଭାବେ ଖର୍ଚ୍ଚ ହେଉଥିବାର ନମୁନା ବି ସେ ସାମ୍ବାଦିକମାନଙ୍କୁ ଦେଖାଇଥିଲେ।

ପାଞ୍ଚ ଜଣ ଅତିରିକ୍ତ ଶାସନ ସଚିବ ଥାଉ ଥାଉ ଆଉ ଅଧିକ ନିର୍ବାହୀ ନିର୍ଦ୍ଦେଶକ ନିଯୁକ୍ତି ହେବାର କାରଣ କ’ଣ ହେବ ବୋଲି ଶ୍ରୀ ପାଣ୍ଡବ ପ୍ରଶ୍ନ ପଚାରିଛନ୍ତି । ସେହିପରି ଯେଉଁଦିନ ସଂପୃକ୍ତ ଅତିରିକ୍ତ ଶାସନ ସଚିବ ଅବସର ଗ୍ରହଣ କଲେ ଠିକ ତା ପରଦିନ ତାଙ୍କୁ ନିର୍ବାହୀ ନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ କରାଗଲା କାହିଁକି? ତାଙ୍କ ପାଇଁ ପ୍ରକୋଷ୍ଠ ଏବଂ କେତେ କର୍ମଚାରୀ ଆଣି ନିଯୁକ୍ତ କରାଗଲା । ସେ ବିନା ସରକାରୀ ଚିଠିରେ ଓଡିଶା ଖଣି ନିଗମର ଏକ ବିଳାସପୂର୍ଣ୍ଣ ଗାଡ଼ି ବ୍ୟବହାର କରୁଛନ୍ତି ଏବଂ ଏ ବାବଦରେ ସମସ୍ତ ଖର୍ଚ୍ଚ ଓଏମସି ବହନ କରୁଛି । ଅନ୍ୟ ସମସ୍ତ ବିଭାଗର ନଥିପତ୍ର ଦୂରସଂଚାର କାର୍ଯ୍ୟକ୍ରମ “ଓସ୍ୱାସ” ମାଧ୍ୟମରେ ପ୍ରସ୍ତୁତ ହେଉଥିବା ବେଳେ ଏହି ବିଭାଗରେ ଏଥିପ୍ରତି ଆଦୌ ଆଗ୍ରହ ପରିଲକ୍ଷିତ ନହେବା ସନ୍ଦେହ ଜନକବୋଲି ସେ କହିଛନ୍ତି ।

ଏପରି ଆପାରଗ ଅଫିସରଙ୍କୁ ତୁରନ୍ତ ସେଠୁ ହଟାଇବା ସହ ସମସ୍ତ ଦୁର୍ନୀତି ଓ ଅନିୟମିତାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପାଣ୍ଡବ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ପଦ୍ମାକର ଗୁରୁ ଏବଂ ପ୍ରଶାନ୍ତ ଶତପଥି ଉପସ୍ଥିତ ଥିଲେ ।

Leave a Reply

Your email address will not be published.