ସାମ୍ନାକୁ ଆସି ତଦନ୍ତରେ ସହଯୋଗ କରିବା ପାଇଁ ରିୟାଙ୍କୁ କହିଲେ ବିହାର ପୋଲିସ

ପାଟନା, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ସାମ୍ନାକୁ ଆସି ତଦନ୍ତରେ ସହଯୋଗ କରନ୍ତୁ ବୋଲି ବିହାର ପୋଲିସ କହିଛି ।

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ସିବିଆଇ ତଦନ୍ତ ପାଇଁ ଦାବି କରୁଥିବା ବେଳେ କାହିଁକି ଲୁଚୁଛନ୍ତି ସେନେଇ ମଧ୍ୟ ପ୍ରଶ୍ନ କରିଛି ବିହାର ପୋଲିସ । ଏପରିକି ଏକ ଗଣମାଧ୍ୟରେ ସୂଚନା ଦେଇ ବିହାରର ଡିଜିପି ଗୁପ୍ତେଶ୍ୱର ପଣ୍ଡା କହିଛନ୍ତି ଯେ ଯଦି ରିୟା ନିର୍ଦ୍ଦୋଶ, ତାହେଲେ ଆଗକୁ ଆସି ଆମକୁ ଯାଞ୍ଚରେ ସହଯୋଗ କରନ୍ତୁ ।

ନିକଟ ଅତୀତରେ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଗାର୍ଲଫ୍ରେଣ୍ଡ ରିୟା ଉସୁକାଇ ଥିବା ନେଇ ଅଭିଯୋଗ କରିଥିଲେ ପିତା କେେ କେ ସିଂହ । ଏପରିକି ସୁଶାନ୍ତଙ୍କ ବାପା ରିୟା ଚକ୍ରବର୍ତ୍ତୀ ଙ୍କ ବିରୋଧରେ ଥାନାରେ ଏଫଆଇଆର୍ ମଧ୍ୟ ଦାଏର କରିଥିଲେ । ଯାହା ଫଳରେ ବିହାର ପୋଲିସ ଘଟଣାର ତଦନ୍ତ କରିବା ପାଇଁ ମୁମ୍ବାଇରେ ଡେରା ପକାଇବା ସହ ଖୋଳତାଡ ମଧ୍ୟ ଆରମ୍ଭ କରିଛି ।

ବିହାରର ସବୁ ପ୍ରମୁଖ ଦଳ ମାନେ ଏହି ଘଟଣାର ସଠିକ୍ ତଦନ୍ତ ଦାବି କରୁଥିବା ବେଳେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଲଗାଯାଉଥିବା ବେଳେ ତାଙ୍କର ପତ୍ତା ମିଳୁନି ।

ନିକଟ ଅତୀତରେ ବିହାର ସରକାରର ଜଣେ ମନ୍ତ୍ରୀ ମହେଶ୍ୱର ହଜାରୀ ଗଣମାଧ୍ୟମ ସହ ଆଲୋଚନା ସମୟରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଜଣେ ସୁପାରୀ କିଲର ସହ ବଲିଉଡର ବିଷ କନ୍ୟା ବୋଲି ଆକ୍ଷେପ ମଧ୍ୟ କରିଥିଲେ ।

ତେବେ ଏହି ଘଟଣାରେ ପୂର୍ବରୁ ଅର୍ଥ ହେରଫେର ନେଇ ଇଡି ପକ୍ଷରୁ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି । ଏହା ବ୍ୟତିତ ଏହି ମାମଲାରେ ମୁମ୍ବାଇ ପୋଲିସ ସଞ୍ଜୟ ଲୀଲା ଭଂସାଲିଙ୍କ ସମେତ ୩୦ରୁ ଅଧିକ ଲୋକଙ୍କୁ ଜେରା କରିସାରିଛି ।

ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି ।

Leave a Reply

Your email address will not be published.