ଆସନ୍ତା ୧୧ରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ, ମାର୍ଚ୍ଚ ୧୫ ଯାଏଁ ପାଠପଢା
ଭୁବନେଶ୍ବର, (ଓଡିଶା ଟାଇମ୍) : ଆସନ୍ତା ୧୧ରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶେଷ ସେମିଷ୍ଟର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ। କେବଳ ଏତିକି ନୁହେଁ ବରଂ ଆସନ୍ତା ୧୧ ତାରିଖରୁ କ୍ଲାସ କରିବା ନେଇ ମଧ୍ୟ ନିର୍ଦ୍ଦେଶନାମା ଜାରି ହୋଇଛି। ସେପଟେ ଗତକାଲି ସ୍କୁଲ ଖୋଲିବା ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା, ସେଥିରେ ଯବନିକା ପଡ଼ିଛି। ପାଠପଢ଼ା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି।
ସେହିପରି UG/ PG ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। Ph.D., M.Phil., ରିସର୍ଚ୍ଚ ସ୍କଲାରଙ୍କ ପାଇଁ ବି ହଷ୍ଟେଲ ଖୋଲିବ। କୋଭିଡ ଗାଇଡଲାଇନ ଅନୁସାରେ ଜାନୁଆରୀ ୧୦ରୁ ହଷ୍ଟେଲ ଖୋଲିବା ନେଇ ନିର୍ଦ୍ଦେଶନାମା।
ମାର୍ଗଦର୍ଶିକା ଅନୁସାରେ, ଜାନୁଆରୀ ୮ ତାରିଖରୁ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଖୋଲିବ। କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଉଭୟ କ୍ଲାସ ପାଇଁ ୧୦୦ ଦିନ ପାଠ ପଢ଼ା ହେବ। ଶନିବାର ଓ ରବିବାର ସ୍କୁଲ ବନ୍ଦ ରହିବ ନାହିଁ। ଏହି ଦିନ ମଧ୍ୟ କ୍ଲାସ୍ ଚାଲୁ ରହିବ। ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୬ ପାଠପଢ଼ା ହେବ। ସେହିପରି ଦ୍ୱାଦଶ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୮ ଯାଏ ପାଠପଢ଼ା ଚାଲୁ ରହିବ।