ତିର୍ତ୍ତୋଲ ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସହ ରହିଛି’

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ବର : ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଡିଜିଟାଲ ପ୍ରଚାର କରିଛନ୍ତି । ଭର୍ଚୁଆଲ ମାଧ୍ୟମରେ ନବୀନ ତିର୍ତ୍ତୋଲ ବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ତିର୍ତ୍ତୋଲ ବାସୀ ସବୁବେଳେ ବିଜୁ ପରିବାର ସହ ରହିଛନ୍ତି । ତିର୍ତ୍ତୋଲର ବିକାଶ ପାଇଁ ସର୍ବଦା ବିଜୁ ଜନତା ଦଳ ପ୍ରୟାସ କରିଛି। ସେଠାରେ ଅନେକ ବିକାଶ ମୂଳକ ପଦକ୍ଷେପ ମଧ୍ୟ ନିଆଯାଇଛି ଏବଂ ଆଗକୁ ମଧ୍ୟ ନିଆଯିବ। କରୋନା କଟକଣା ପାଇଁ ମୁଁ ତିର୍ତ୍ତୋଲ ଯାଇପାରିଲିନି। କିନ୍ତୁ କରୋନା କଟକଣା ପରେ ନିଶ୍ଚୟ ତିର୍ତ୍ତୋଲ ଯିବି ଏବଂ ଆପଣମାନଙ୍କୁ ଭେଟିବା ସହ ଆପଣଙ୍କ ଅଞ୍ଚଳର ବିକାଶ କାର୍ଯ୍ୟକୁ କିପରି ଆଗକୁ ବଢାଯିବ ତାହା ଦେଖିବି ବୋଲି ନବୀନ କହିଛନ୍ତି। ଏଥି ସହିତ ନବୀନ ତିର୍ତ୍ତୋଲ ବାସୀଙ୍କୁ କରୋନା ଗାଇଡଲାଇନ ମାନିବାକୁ ପରାମର୍ଶ ଦେଇଛନ୍ତି।

ଭର୍ଚୁଆଲ ରାଲିରେ ନବୀନ ଆହୁରୀ ମଧ୍ୟ କହିଛନ୍ତି ଯେ ନିକଟରେ ତିର୍ତ୍ତୋଲ ଅଞ୍ଚଳରେ ଯୋଗାଯୋଗ ପାଇଁ ମହାନଦୀ ଉପରେ ୨ଟି ବ୍ରିଜର କାମ ଆରମ୍ଭ ହୋଇଛି। ଏହି ଅଂଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଆମ ସରକାର କାମ କରିଛନ୍ତି। ପୂର୍ବ ନିର୍ବାଚନରେ ଆପଣମାନେ ବିଷ୍ଣୁ ଦାସଙ୍କୁ ବହୁ ଭୋଟ୍ ଦେଇ ବିଜୟ କରିଥିଲେ ।ବିଷ୍ଣୁ ବାବୁ ସର୍ବଦା ତିର୍ତ୍ତୋଲର ବିକାଶ ପାଇଁ ମୋ ସହ କଥା ହେଉଥିଲେ କିନ୍ତୁ ଦୁଃଖର କଥା ସେ ଏବେ ଆମ ଗହଣରେ ନାହାଁନ୍ତି ।  ତିର୍ତ୍ତୋଲ ଅଞ୍ଚଳରେ ମିଶନ ଶକ୍ତିର ମା’ମାନେ ବହୁତ ଭଲ କାମ କରିଛନ୍ତି। ମୁଁ ଆପଣମାନଙ୍କ ସହିତ ଅଛି। ବିକାଶକୁ ଆଗେଇ ନେବାଲାଗି ପୁଣିଥରେ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ଭୋଟ ଦେବାପାଇଁ ନବୀନ ଲୋକମାନଙ୍କୁ ଅନୁରୋଧ କରିଛନ୍ତି। ଏଥି ସହିତ ଭୋଟଦାନ କେନ୍ଦ୍ରକୁ ଯିବା ବେଳେ ନିଜ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ପାଇଁ ମଧ୍ୟ ନବୀନ ତିର୍ତ୍ତୋଲମାସୀଙ୍କୁ କହିଛନ୍ତିl

Leave a Reply

Your email address will not be published.