ସାମ୍ବାଦିକ କରୁଣାକର ସାହୁଙ୍କ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା ସହାୟତା
ଭୁବନେଶ୍ବର, (ଓଡିଶା ଟାଇମ୍): ସାମ୍ବାଦିକ କରୁଣାକର ସାହୁଙ୍କ ପରିବାରକୁ ଦିଆଯିବ ଆର୍ଥିକ ସହାୟତା । ୧୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । କୋଭିଡ୍ରେ ଆକ୍ରାନ୍ତ ହେବା ପରେ ସାମ୍ବାଦିକ କରୁଣାକରଙ୍କର ମୃତ୍ୟୁ ହୋଇଥିଲା । କରୁଣାକର ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ୍ରେ କାର୍ଯ୍ୟରତ ଥିଲେ ।
ସୂଚନାଯୋଗ୍ୟ ଯେ, ଗତ ଅପ୍ରେଲ ମାସ ୨୧ ତାରିଖରେ ସାମ୍ବାଦିକ କରୁଣାକର ସାହୁ କରୋନାରେ ସଂକ୍ରମିତ ହୋଇଥିଲେ । ତାଙ୍କୁ ହିଞ୍ଜିଳିକାଟୁ ସ୍ଥିତ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଅପ୍ରେଲ ୨୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିବାକୁ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କାର୍ଯ୍ୟରତ ସାମ୍ବାଦିକଙ୍କୁ ସରକାର କୋଭିଡ୍ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି ।
ଏହି ପରିପ୍ରେକ୍ଷୀରେ କୌଣସି କାର୍ଯ୍ୟରତ ସାମ୍ବାଦିକ ଯଦି ପ୍ରାଣ ହରାନ୍ତି ତେବେ ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ଲାଗି ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି । ଏ ଆଧାରରେ ସାମ୍ବାଦିକ କରୁଣାକରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ଦେବା ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ପୂର୍ବରୁ ମଧ୍ୟ ସାମ୍ବାଦିକଙ୍କୁ ସହାୟତା ରାଶି ପ୍ରଦାନ କରାଯାଇସାରିଛି ।