ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ : ଆଜି ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ସଂଖ୍ୟା ବଢୁଛି କଟକଣା ବି କଡ଼ାକଡ଼ି ହେଉଛି। ଆଉ ଏଣେ ତନାଘନା ବି ବଢୁଛି। ରାଜ୍ୟରେ କୋଭିଡ ସଂକ୍ରମଣ ସରକାରଙ୍କ ଚିନ୍ତା ବଢାଇଥିବା ବେଳେ ମୁକାବିଲା ପାଇଁ ତତ୍ପରତା ବି ବଢିଛି। ଏଥର ବି ଆରମ୍ଭରୁ ଶୂନ୍ୟ ସହିଷ୍ଣୁତା ନୀତି ଅବଲମ୍ବନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ । ରାଜ୍ୟ ସରକାରଙ୍କର ସବୁ ବରିଷ୍ଠ ଅଧିକାରୀ, ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍ ପିଙ୍କ ସହିତ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।
ଏହାପୂର୍ବରୁ ସୋମବାର ଦିନ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ଜିଲ୍ଲାପାଳଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା କରିଥିଲେ। ବୈଠକରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଓ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ବି ଉପସ୍ଥିତ ଥିଲେ। ବିଶେଷକରି ମହାରାଷ୍ଟ୍ର, ପଞ୍ଜାବ, କେରଳ, ଗୁଜରାଟରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ଉପରେ ନଜର ରଖିବାକୁ କୁହାଯାଇଛି । ସହରାଞ୍ଚଳ ଓ ଗ୍ରାମାଞ୍ଚଳ ବା ବଜାରମାନଙ୍କରେ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି । ଏସବୁ କ୍ଷେତ୍ରରେ କୌଣସି ଯେପରି ଖିଲାପ ନ ହୁଏ, ସେଥିପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଆରଟିପିସିଆର ପରୀକ୍ଷା ବଢାଇବାକୁ ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି । ଯେଉଁ ଅଞ୍ଚଳରୁ କୋଭିଡ ପଜେଟିଭ ବାହାରିବେ ସେଠାରେ ମାଇକ୍ରୋ କଣ୍ଟନନେଣ୍ଟ କରିବା ସହ କଣ୍ଟାକ୍ଟ ଟ୍ରେସିଂକୁ ଗୁରୁତ୍ବ ଦେବାକୁ କୁହାଯାଇଛି ।
ସଂକ୍ରମଣ ରୋକିବାକୁ ପଞ୍ଚାୟତ ସ୍ତରରୁ ପ୍ଲାନ କରିଛନ୍ତି ରାଜ୍ୟ ସରକାର । ଭିଲେଜ୍ କୋଭିଡ୍ ମ୍ୟାନେଜମେଣ୍ଟ କମିଟିକୁ ପୁଣିଥରେ କାର୍ଯ୍ୟକ୍ଷମ କରାଯିବ। ସରପଞ୍ଚ, ୱାଡମେମ୍ବର, ଆଶା ଓ ଅଙ୍ଗନୱାଡ଼ିକୁ ପୁଣି କୋଭିଡ୍ ପରିଚାଳନା ଦାୟିତ୍ବ ଦିଆଯିବ। ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ସଂପର୍କରେ ସେମାନେ ସ୍ଥାନୀୟ ପ୍ରଶାସନକୁ ଖବର ଦେବେ। କରୋନା କଟକଣାକୁ କଡା କଡି କରିବା ସହ ଅଯଥା ଭିଡ ରୋକିବାକୁ ପୋଲିସ ଡିଜି ଏସପି ମାନଙ୍କୁ ନିର୍ଦେଶ ଦେଇଛନ୍ତି । ସପିଂ ମଲ୍ ଏବଂ ଲୋକ ଭିଡ଼ ହେଉଥିବା ବଜାରରେ କଡ଼ା କଟକଣା କରାଯିବ।