କରୋନା ମୁକାବିଲାରେ ଆମେ ଆଗରେ, ରାଜ୍ୟରେ ପଜିଟିଭ୍ ସଂଖ୍ୟା କମିଛି, ତଥାପି ଆମକୁ ଆହୁରି ସାବଧାନ ଓ ସତର୍କ ରହିବାକୁ ହେବ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଶାରଦୀୟ ପୂଜା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ଓଡିଶା ଗତ ସାତ ମାସ ହେବ କରୋନା ବିରୋଧରେ ଲଢେଇ ଜାରି ରଖିଛି ଓ ଏଥିପାଇଁ ସମସ୍ତଙ୍କୁ ଅନେକ କଷ୍ଟ ଓ ତ୍ୟାଗ ସ୍ବୀକାର କରିବାକୁ ପଡୁଛି। କରନା ସଂକ୍ରମଣ ଯୋଗୁ ପିଲା ଓ ବୟସ୍କ ଲୋକମାନଙ୍କୁ ଘରେ ରହିବାକୁ ପଡୁଛି। ସେ କହିଛନ୍ତି ଯେ କରୋନା ମହାମାରୀର ଭୟାବହତା ଯୋଗୁ ପିଲାମାନେ ସ୍କୁଲ ସାଙ୍ଗସାଥି ଓ ଖେଳିବାର ମଜା ନେଇ ପାରୁନାହାନ୍ତି। ବୟସ୍କ ଲୋକ ଏବଂ ପିଲାମାନେ ଘରେ ରହିବା ଦ୍ବାରା କରୋନା ବିରୋଧରେ ଲଢେଇକୁ ଭଲ ଭାବରେ ଲଢି ପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ ଓଡିଶା କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି ଓ ଏଥିରେ ରାଜ୍ୟର ସବୁ ନାଗରିକଙ୍କ ସହଯୋଗ ରହିଛି। ପରିସ୍ଥିତିକୁ ଠିକ୍‌ ଭାବରେ ବୁଝିବା ଦରକାର ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା କହିଛନ୍ତି ଓ ଏହା ଆଗକୁ ଆହୁରି କମିବ ବୋଲି ଦୃଢ଼ତା ପ୍ରକାଶ କରିଛନ୍ତି। ସେ ଗଞ୍ଜାମ ଓ ଗଜପତି ଉଦାହରଣ ଦେଇ କହିଛନ୍ତି ଯେ ଜନସାଧାରଙ୍କ ସହଯୋଗ, ଗୋଷ୍ଠୀ ଅନ୍ତର୍ଭୁକ୍ତି ଏବଂ କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି। ଗଞାମ ଓ ଗଜପତି ସଂକ୍ରମଣ ହ୍ରାସ କ୍ଷେତ୍ରରେ ଅନ୍ୟ ଜିଲ୍ଲା ପାଇଁ ପେରଣା ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଫ୍ରାନ୍ସରେ ଅଗଷ୍ଟ ୩୧ରେ ୩ ହଜାର ପଜିଟିଭ୍ କେସ୍ ଥିବା ବେଳେ ଅକ୍ଟୋବର ୧୦ରେ ୨୬ ହଜାରରୁ ଅଧିକ ହୋଇଗଲା । ଭାରତ ଏବେ ଆମେରିକା ପରେ ସଂକ୍ରମଣରେ ଦୁଇ ନମ୍ବରରେ ପହଁଚିଛି  । କେରଳରେ କରୋନା ନିୟନ୍ତ୍ରଣରେ ଥିବା ବେଳେ ଓନାମ ପର୍ବ ପରେ ପୁଣି ମାମଲା ୩ଗୁଣ ବଢିଛି ।ଶୀତ ଋତୁରେ କରୋନା ଭୟଙ୍କର ରୂପ ନେବ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ତେବେ ପୂଜା ସମୟରେ  ଘରେ ରହିବାକୁ, ଭିଡ ନକରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଘରେ ରହିବାକୁ କହିଛନ୍ତି । ଏହାସହ ବାହାରକୁ ଗଲେ ମାସ୍କ ପିନ୍ଧିବା ସହ ହାତ ଧୋଇବାକୁ ନବୀନ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୁଣି ମାମଲା ବଢିଲେ ଆମେ ହଇରାଣ ହେବା । ସାବଧାନ ରହିଲେ ସଂକ୍ରମଣ ବଢିବ ନାହିଁ । ସଂକ୍ରମଣ ଯେପରି ନବଢିବ ସେଥିପାଇଁ ଶପଥ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *