ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, (ଓଡିଶା ଟାଇମ୍): ମୟୂରଭଞ୍ଜରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ଼ ବଣ୍ଟନ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ହିତାଧିକାରୀଙ୍କୁ BSKY ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ମୁଖ୍ୟମନ୍ତ୍ରୀ ଡିଜିଟାଲ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୟୂରଭଞ୍ଜ ହେଉଛି କଳାର ଭୂମି । ଏଠାକୁ ଆସି ମୁଁ ବହୁତ ଖୁସି । ଏ ପର୍ଯ୍ୟନ୍ତ ରାଜ୍ୟରେ ୧୦ଲକ୍ଷ ହିତାଧିକାରୀ କାର୍ଡ ପାଇଲେଣି । ୧୦ ହଜାର ୬୫୭ ହିତାଧିକାରୀ ସ୍ବାସ୍ଥ୍ୟସେବା ସୁବିଧା ପାଇଲେଣି । ପ୍ରତିଟି ଜୀବନ ମୂଲ୍ୟବାନ, ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଲୋକେ ଚିକିତ୍ସା ପାଇଁ ଜମି ବିକିବା, ଋଣ କରିବାର ଖବର ମୋତେ ଦୁଃଖ ଦିଏ । ରାଜ୍ୟରେ BSKY ସ୍ମାର୍ଟ କାର୍ଡ ଗରିବ ଲୋକଙ୍କର ଦୁଃଖକୁ କମାଇବ ବୋଲି ନବୀନ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ହେଲିକାପ୍ଟର ଯୋଗେ ପ୍ରଥମେ ବାରିପଦା ଛଉ ପଡ଼ିଆ ଅସ୍ଥାୟୀ ହେଲିପ୍ୟାଡ଼ରେ ଓହ୍ଲାଇଥିଲେ । ସେଠାରୁ ସେ ସହିଦ ସ୍ମୃତି ଭବନରେ ପହଞ୍ଚିଥିଲେ । ସେଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହାପରେ ବାରିପଦା ବିଧାୟକ ପ୍ରକାଶ ସୋରେନ ଉଦବୋଧନ ଦେବା ପରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ବରର ଟୁଡୁ, ଶକ୍ତି, ଉଦ୍ୟୋଗ ଓ ଏମଏସଏମଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, କେନ୍ଦ୍ର ଜଳଶକ୍ତି ଓ ଉଦବୋଧନ ଦେଇଥିଲେ ।
ଏହାପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଏକ ୪ ମିନିଟର ଭିଡ଼ିଓ ପ୍ରଦର୍ଶିତ ହୋଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ଡିଜିଟାଲ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଶେଷରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଧନ୍ୟବାଦ ଅର୍ପଣ କରିଛନ୍ତି ।