ସହିଦ ଦୁଇ ଓଡ଼ିଆଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, (ଓଡିଶା ଟାଇମ୍) : ଗଲୱାନ ସୀମାରେ ସହିଦ ହୋଇଥିବା ଦୁଇ ଓଡ଼ିଆଙ୍କ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଦୁଇ ସହିଦଙ୍କ ପରିବାରକୁ ୨୫ଲକ୍ଷ ଟଙ୍କାର ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଲଦାଖର ଗଲ୍ଓ୍ୱାନ୍ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଅଛନ୍ତି।
ଜଣେ ଯବାନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଓ ଅନ୍ୟଜଣେ କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର। ସୂଚନା ଅନୁସାରେ, ସହିଦ ଯବାନ ନନ୍ଦୁରାମ ସୋରେନ୍ଙ୍କ ଘର ରାଇରଙ୍ଗପୁର ବିଜାତଳା ବ୍ଲକ୍ ଅନ୍ତର୍ଗତ ଚମ୍ପାରଦା ଗାଁରେ ଏବଂ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ବିଅରପାଙ୍ଗା ଗାଁର ହେଉଛନ୍ତି ଚନ୍ଦ୍ରକାନ୍ତ ପ୍ରଧାନ(୨୮)।
୬ ବର୍ଷ ତଳେ ଚନ୍ଦ୍ରକାନ୍ତ ଭାରତୀୟ ସେନାରେ ଯୋଗ ଦେଇଥିଲେ। ବିହାର ୧୬-ରେଜିମେଣ୍ଟରେ ସେ ଯୋଗ ଦେଇଥିଲେ। ଦୁଇ ବର୍ଷ ପୂର୍ବେ ସେ ଲଦାଖରେ ଡ୍ୟୁଟି କରୁଥିଲେ।
ମିଳିଥିବା ସୂଚନା ଅନୁସାରେ, ୧୫ ତାରିଖ ସନ୍ଧ୍ୟା ଓ ରାତିରେ ଚୀନ୍ ସେନା ଏକପାଖିଆ ଭାବେ ପ୍ରକୃତ ନିୟନ୍ତ୍ରଣ ରେଖା-LACର ଯଥା ସ୍ଥିତିକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା। ଏହାକୁ ଭାରତୀୟ ସେନା ତୀବ୍ର ବିରୋଧ କରିବାରୁ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା। ପରେ ଏହା ଉଗ୍ରରୂପ ନେବା ସହ ଦୁଇ ପକ୍ଷ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା।