ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, କହିଲେ- ‘ଓଡିଶା ପାଇଁ ଐତିହାସିକ ଦିନ’

ପୁରୀ, (ଓଡିଶା ଟାଇମ୍): ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଶ୍ରୀମନ୍ଦିର ଚତୁଃପାର୍ଶ୍ବକୁ ନୂଆ ରୂପରେଖ ଦିଆଯିବ । ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ୩ ଦିନିଆ ଯଜ୍ଞ ପୂଜାବିଧିର ଅନ୍ତିମ ଦିବସରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ଉତ୍ତରଦ୍ବାର ଐଶାନ୍ୟ କୋଣରେ ଚାଲିଛି ମହାଯଜ୍ଞ । ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶା ପାଇଁ ଆଜି ଐତିହାସିକ ଦିନ । ଏହାସହ ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କ ପାଇଁ ଆଜିର ଦିନ ସ୍ମରଣୀୟ।

ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗଜପତି ମହାରାଜ ଦିବ୍ୟସିଂହ ଦେବ, ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଛନ୍ତି । ପରିକ୍ରମା ପ୍ରକଳ୍ପର ଅନାବରଣ କାର୍ଯ୍ୟ ମଧ୍ୟ କରାଯାଇଛି। ଏଥିସହ ମହାପ୍ରଭୁଙ୍କ ପାଇଁ ଜମି ଦାନ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସମ୍ମାନିତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏଥିପାଇଁ ୩ ଅତିରିକ୍ତ ଏସପି, ୧୦ ଡିଏସପି, ୪୦ ଇନ୍ସପେକ୍ଟରଙ୍କ ସହ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *