ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତାଙ୍କୁ ସରକାର ଦେଲେ ଉପହାର, ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ DSP ନିଯୁକ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍): ଅଲିମ୍ପିକ୍‌ ପଦକ ବିଜେତାଙ୍କୁ ପୁରସ୍କୁତ କଲେ ରାଜ୍ୟ ସରକାର ।ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ DSP ପଦରେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ଏହି ପଦକ ବିଜେତାଙ୍କୁ ମଧ୍ୟ ଅଢେଇ କୋଟି ଲେଖାଏଁ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ମହିଳା ହକି ଟିମ୍‌ର ୨ ଜଣ ସଦସ୍ୟ ଦୀପଗ୍ରେସ ଏକ୍କା, ନମିତା ଟପ୍ପୋଙ୍କୁ ପୁରସ୍କୃତ କରିଛନ୍ତି । ଉଭୟଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେଇଛନ୍ତି ରାଜ୍ୟ ସରକାର ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତି ୮ଟା ୫୦ ମିନିଟରେ ଏୟାର ଇଣ୍ଡିଆ ଫ୍ଲାଇଟରେ ହକି ଟିମର ୪ ଜଣ ଖେଳାଳି ଭୁବନେଶ୍ବରରେ ପହଞ୍ଚିଥିଲେ। ଖେଳାଳିମାନଙ୍କୁ ସ୍ୱାଗତ କରିବାକୁ ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ଏହି ହକି ଖେଳାଳିମାନଙ୍କୁ ସ୍ବାଗତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଓ ଅଭିଜିତ ପଲ ବିମାନ ବନ୍ଦରରେ ଉପସ୍ଥିତ ଥିଲେ। ଏହା ସହିତ ସେମାନଙ୍କ ପରିବାର ଲୋକେ ମଧ୍ୟ ଉପସ୍ଥିତ ରହିଥିଲେ। ଏହା ପରେ ଆଜି ସମସ୍ତ ୪ ହକି ତାରକାଙ୍କୁ କଳିଙ୍ଗ ଷ୍ଟାଡିଅମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ (ପୁରୁଷ ଓ ମହିଳା) ସଦସ୍ୟ ଥିବା ୪ଜଣ ଓଡ଼ିଆ ବୀରେନ୍ଦ୍ର ଲାକ୍ରା, ଅମିତ୍‌ ରୋହିଦାସ ଏବଂ ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ସମ୍ବର୍ଦ୍ଧନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ୪ ଓଡ଼ିଆ ହକି ଖେଳାଳିଙ୍କୁ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *