ବାଦଲଫଟା ବର୍ଷା, ଜଣେ ମୃତ, ଅନେକ ନିଖୋଜ

ଶ୍ରୀନଗର, (ଓଡିଶା ଟାଇମ୍): ଜମ୍ମୁ-କଶ୍ମୀରର ବାରାମୁଲା ଜିଲ୍ଲାରେ ବାଦଲଫଟା ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ କଫରନାର ଅଞ୍ଚଳରେ ହଠାତ୍‌ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଭାସିଯାଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ରଜୌରୀର ହାଜି ବଶିର ବରୱାଲ ନାମକ ଜଣେ ପରିବାର ସଦସ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ କିଛି ଲୋକଙ୍କ ଏଯାଏଁ ପତ୍ତା ମିଳିନାହିଁ, ସେମାନେ ନିଖୋଜ ଅଛନ୍ତି। ବର୍ତ୍ତମାନ ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ପୁଲିସ ସୂଚନା ମୁତାବକ, ଉକ୍ତ ଅଞ୍ଚଳଟି ବେଶ୍‌ ଦୁର୍ଗମ, ଏଠାରେ ମୋଇବାଇଲ ନେଟ୍‌ୱାର୍କ ସଠିକ ଭାବେ କାମ ନାହିଁ। ତେଣୁ ସନ୍ଧାନ କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି।ସେପଟେ କୁଲଗାମରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ଫଳରେ ଏକ ନାଳରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଭାସି ଯାଇଥିଲେ। କିନ୍ତୁ ସେମାନଙ୍କୁ ପୁଲିସ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଗତକାଲି ପ୍ରବଳ ବର୍ଷା ଯୋଗୁଁ ସେମାନେ ଫସି ରହିଥିଲେ।

ଏହାପୂର୍ବରୁ ଚଳିତ ବର୍ଷ ଜୁଲାଇ ମାସରେ ଜମ୍ମୁ-କଶ୍ମୀର କିସ୍ତିୱାଡାରେ ଭୟଙ୍କର ବାଦଲଫଟା ବର୍ଷା ହୋଇଥିଲା।  ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ନିଖୋଜ ହୋଇଥିଲେ।

Leave a Reply

Your email address will not be published. Required fields are marked *