ଅଗଷ୍ଟରୁ ଖୋଲିପାରେ ସିନେମା ଘର

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଅଗଷ୍ଟ ମାସରୁ ସିନେମା ଘର ଖୋଲିବାକୁ ଅନୁମତି ଦେବା ପାଇଁ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଆଯାଇଛି ।

ମହାମାରୀ କରୋନା ସଂକ୍ରମଣ ଯୋଗୁଁ ଏବେ ସାରା ଫିଲ୍ମ ଇଣ୍ଡଷ୍ଟ୍ରିରେ ଏହାର ପ୍ରଭାବ ପଡିଥିବା ନଜରକୁ ଆସିଛି । ଯାହା ଫଳରେ ସିନେମା ହଲ୍ ଗୁଡିକୁ ବନ୍ଦ କରାଯାଇଛି । ସିନେମା ମାଲିକ ତଥା ପ୍ରଯୋଜକ ମାନେ କ୍ଷତି ସହୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟର ସଚିବ ଅମିତ ଖରେ ଗୃହ ମନ୍ତ୍ରଣାଳୟର ସଚିବ ଅଜୟ ଭଲ୍ଲାଙ୍କୁ ଏସମ୍ପର୍କରେ ପ୍ରସ୍ତାବ ଦେଇଛନ୍ତି ।

ଯେଉଁ ଅଞ୍ଚଳରେ ସଂକ୍ରମଣ ଭୟ କମ୍ ଅଛି, ସେହି ଅଞ୍ଚଳରେ ସିନେମା ଘର ଖୋଲାଯିବ । ହେଲେ ସିନେମା ଘର ଖୋଲାଗଲେ ମଧ୍ୟ ହଲ୍ ଭିତରେ ଖାଇବା ଜିନିଷକୁ ନେବା ପାଇଁ ଅନୁମତି ଦିଆଯିବ ନାହିଁ । ଏହାଛଡା ହଲର ପ୍ରଥମ ଧାଡିର ଗୋଟେ ସିଟ୍ ଛାଡି ଆଉ ଗୋଟିଏ ସିଟରେ ଦର୍ଶକ ବସିବେ । ଏପରିକି ଏହାର ପଛ ଭାଗକୁ ସମ୍ପୂର୍ଣ୍ଣ ଖାଲି ରଖିବାକୁ ପ୍ରସ୍ତାବ ଦିଆଯାଇଛି ।

ଗତ ଶୁକ୍ରବାର ଦିନ ସିଆଇଆଇ ମିଡିଆ କମିଟି ସହ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅମିତ ଖରେ ଏକ ବୈଠକ କରିଥିଲେ । ଯେଉଁଥିରେ କମ ସେ କମ୍ ଅଗଷ୍ଟ ୧ରୁ ଅଗଷ୍ଟ ୩୧ ଯାଏଁ ଦେଶବ୍ୟାପୀ ସିନେମା ହଲ୍ ଖୋଲିବା ପାଇଁ ଗୃହ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଥିଲେ ।

ତେବେ ଏଭଳି ନିୟମକୁ ମାନିଲେ ସିନେମା ହଲ୍ ମଧ୍ୟରେ ମାତ୍ର ୨୫ ପ୍ରତିଶତ ଦର୍ଶକଙ୍କୁ ନେଇ ଫିଲ୍ମ ହଲକୁ ଚଲାଇ ହେବନାହିଁ । ଏହାଠାରୁ ଭଲ ସିନେମା ଘର ବନ୍ଦ ରହିବ ବୋଲି ବୈଠକରେ ଉପସ୍ଥିତ ଥିବା ସିନେମା ହଲ୍ ମାଲିକ ମାନେ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଅନଲକ୍ ଜୁଲାଇ ୩୧ରେ ଶେଷ ହେବାକୁ ଯାଉଛି । ଯାହା ପରେ ଅଗଷ୍ଟ ୧ ତାରିଖରୁ ଅନଲକ୍‌-୩ ଲାଗି ନୂତନ ଗାଇଡ ଲାଇନ୍ ଜାରି କରାଯାଇ ପାରେ ।

Leave a Reply

Your email address will not be published.