ଚୀନରେ କରୋନାର ବିସ୍ଫୋରକ ସ୍ଥିତି, ବାପା-ମାଆଙ୍କ ଠାରୁ ପିଲାଙ୍କୁ କରାଯାଉଛି ଅଲଗା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଚୀନରେ ପୁଣି ଥରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି । ଚୀନର ସବୁଠୁ ଅଧିକ ଜନସଂଖ୍ୟା ଥିବା ସହର ସଂଘାଇରେ ରେକର୍ଡ କରୋନା ମାମଲା ଚିହ୍ନଟ ହୋଇଛି। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି। ମାମଲା ହ୍ରାସ କରିବା ପାଇଁ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଉଛି। କରୋନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଚୀନ ସରକାର କଠୋର ନିଷ୍ପତ୍ତି ନେଇଛନ୍ତି । ଚୀନର ଏହି ନିଷ୍ପତ୍ତି ସବୁ ସୀମାକୁ ଟପି ଯାଇଛି ।ମିଡିଆ ରିପୋର୍ଟ ଅନୁସାରେ, କରୋନା ଯୋଗୁଁ ପିଲାମାନଙ୍କୁ ନିଜ ବାପା-ମାଆଙ୍କ ଠାରୁ ଅଲଗା କରି କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଉଛି । ଚୀନ ସରକାରଙ୍କ ଏହି କଠୋର କଟକଣା ଯୋଗୁଁ ଚୀନ ନାଗରିକ ଭୟଭିତ ଅଛନ୍ତି।
ଚୀନ ସରକାର କରୋନା ମହାମାରୀର ନୂଆ ଲହରକୁ ମୁକାବିଲା କରିବା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି, ତାକୁ ନେଇ ଲୋକେ ଭୟଭୀତ ଅଛନ୍ତି। ମିଡିଆ ରିପୋର୍ଟ ଅନୁସାରେ, ନୂଆ ନିର୍ଦ୍ଦେଶରେ ପିଲାମାନଙ୍କୁ ସେମାନଙ୍କ ବାପା-ମାଆଙ୍କ ଠାରୁ ଅଲଗା କରାଯାଉଛି। ଏପରିକି ସେମାନଙ୍କୁ କେଉଁଠି ରଖାଯାଉଛି, ତାର ଠିକଣା ମଧ୍ୟ ଦିଆଯାଉନାହିଁ। ନିଜ ପିଲାଙ୍କ ଖବର ଜାଣିବା ପାଇଁ ବାପା-ମାଆ ପ୍ରଶାସନ ନିକଟରେ ନେହୁରା ହେଉଥିଲେ ମଧ୍ୟ କୌଣସି ସୂଚନା ଦିଆଯାଉ ନାହିଁ। ସମାଚାର ଏଜେନ୍ସି ରୟଟର୍ସ ଅନୁସାରେ, ସହରର ଜଣେ ମହିଳା ଏସ୍ତର ଝାଓ ନିଜ ଅଢେଇ ବର୍ଷର ଝିଅଙ୍କୁ ଜ୍ୱର ହେବା ପରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତିନି ଦିନ ପରେ ସେ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ପରେ ଦୁଇ ଜଣଙ୍କୁ ଅଲଗା ଅଲଗା କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ଝିଅକୁ କେଉଁଠି ରଖାଯାଇଛି, ସେ ବାବଦରେ କୌଣସି ସୂଚନା ଦିଆଯାଇ ନଥିଲା। କେବଳ ମୋବାଇଲକୁ ମେସେଜ ପଠାଇ ଝିଅ ସୁସ୍ଥ ଥିବା ଖବର ଜଣାଇଥିଲେ।











