ମୁଖ୍ୟ ଶାସନ ସଚିବ ଏବଂ ୫ଟି ସଚିବଙ୍କ କଳାହାଣ୍ଡି ଗସ୍ତ

କଳାହାଣ୍ଡି, (ଓଡିଶା ଟାଇମ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଶନିବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ୫ଟି ସଚିବ ଭିକେ ପାଣ୍ଡିଆନ୍ କଳାହାଣ୍ଡି ଜିଲ୍ଲା ପରିଦର୍ଶନ କରିଛନ୍ତି। ସ୍ୱାସ୍ଥ୍ୟସେବା, ଜଳସେଚନ ଏବଂ ଶିକ୍ଷା ଉପରେ ଧ୍ୟାନ ଦେଇ ସମ୍ଭାବ୍ୟ କରୋନା ତୃତୀୟ ଲହର ପ୍ରସ୍ତୁତିକୁ ଗୁରୁତ୍ୱ ଦେବାକୁ ଜିଲ୍ଲାପ୍ରସାଶନକୁ ନିର୍ଦ୍ଧେଶ ଦେଇଥିବା ଜଣାଯାଇଛି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଏବଂ ୫ଟି ସଚିବ ଜିଲ୍ଲାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ। ଉତ୍କଳ ଏୟାରଷ୍ଟ୍ରିପ୍‌ରେ ଅବତରଣ କରିବା ପରେ ମୁଖ୍ୟ ସଚିବ ଉତ୍କଳ ଏୟାରଷ୍ଟ୍ରିପ୍‌ର ବର୍ତ୍ତମାନର ସ୍ଥିତି ଏବଂ ବିକାଶର ସମୀକ୍ଷା କରିଥିଲେ। ଭବାନୀପାଟଣା ଠାରୁ ଭୁବନେଶ୍ୱର ଏବଂ ରାୟପୁର ପର୍ଯ୍ୟନ୍ତ ବ୍ୟବସାୟିକ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ଆଶା ପ୍ରକଟ କରିଥିଲେ।

ଭବାନୀପାଟଣା ଭଙ୍ଗାବାରି ଠାରେ ନିର୍ମାଣଧୀନ ୧୦୦ ସିଟ ସରକାରୀ ମେଡିକାଲ୍ କଲେଜ ଏବଂ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପରିଦର୍ଶନ କରିଥିଲେ। ମେଡିକାଲ୍ କଲେଜକୁ ଡିସେମ୍ବର ୨୦୨୧ ସୁଦ୍ଧା ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ୫ଟି ସଚିବ ଶ୍ରୀପାଣ୍ଡିଆନ ଗୁଣାତ୍ମକ ନିର୍ମାଣ ଓ ଠିକ ସମୟରେ ନିର୍ମାଣ ସମାପ୍ତ କରିବାକୁ ଗୁରୁତ୍ୱାରୋପ କରିଛନ୍ତି। କଳାହାଣ୍ଡି ଜିଲ୍ଲାପାଳ ଡାକ୍ତର ଗାଭଳି ପରାଗ ହର୍ଷଦ କୋଭିଡ ସ୍ଥିତି ଏବଂ କୋଭିଡ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ବିଷୟରେ ସୂଚନା ଦେଇଥିଲେ। ପରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। କେସିଙ୍ଗା- ବୋଲାଙ୍ଗୀର ୨୨୦ କେଭି ଲାଇନକୁ ବିସ୍ତୃତ ଭାବରେ ସମୀକ୍ଷା କରାଯାଇଥିଲା ଏବଂ ଷ୍ଟ୍ରିଙ୍ଗ୍ କାମ ଶେଷ ହେବା ପାଇଁ ଶୀଘ୍ର କ୍ଲିୟରାନ୍ସ କରିବାକୁ ଓପିଟିସିଏଲ୍ ଏବଂ ବନ ବିଭାଗକୁ ମୁଖ୍ୟ ସଚିବ ଶ୍ରୀମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ୫ଟି ସଚିବ ନୂତନ ଉଦ୍‌ଘାଟିତ ମେଗା ଜଳସେଚନ ପ୍ରକଳ୍ପର ଇନ୍ଦ୍ରାବତୀ ନଦୀ ଉପରେ ଏହାର ପ୍ରଭାବ ଉପରେ ଆଲୋକପାତ କରିଥିଲେ ଏବଂ ଜଳସେଚନରେ ଜଳ ସମସ୍ତ ଚାଷୀଙ୍କ ନିକଟରେ ପହଞ୍ଚିବାକୁ ନିଶ୍ଚିତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏମ.ରାମପୁରସ୍ଥିତ ସାନ୍ଦୁଲ ଜଳସେଚନ ପ୍ରକଳ୍ପ ଏବଂ ଜିଲ୍ଲାର ଅନ୍ୟାନ୍ୟ ମେଗା ଉଠା ଜଳସେଚନ ପ୍ରକଳ୍ପର ବିସ୍ତୃତ ସମୀକ୍ଷା କରାଯାଇଥିଲା। ଏହା ସହ ଭବାନୀପାଟଣାରେ ହେବାକୁ ଥିବା ନୂତନ ବସ୍ ଷ୍ଟାଣ୍ଡ ପ୍ରକଳ୍ପର ମଧ୍ୟ ସମୀକ୍ଷା କରାଯାଇଥିଲା ଏବଂ ଏହାକୁ ଅଗାମୀ ୬ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ନର୍ଲା ଲୋକୋ ସେଡ୍ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଏବଂ ଜଙ୍ଗଲ ମଞ୍ଜୁରୀକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *