ବଦଳିଲା ପିଜି ନାମଲେଖା କାର୍ଯ୍ୟସୂଚୀ
ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟର ୬୮ଟି ଶିକ୍ଷାନୁଷ୍ଠାନ (ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟ)ର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମ ପାଇଁ ହୋଇଥିବା ଏକକ ପିଜି ପ୍ରବେଶିକାର ମେଧା ତାଲିକା ପ୍ରକାଶକୁ ପୁନର୍ବାର ପରିବର୍ତ୍ତନ କରାଯାଇଛି। ଏଥିସହ ସମସ୍ତ ପରୀକ୍ଷାର୍ଥୀ ସେମାନଙ୍କର ମାର୍କସିଟ୍ ଅପଲୋଡ୍ କରି ନଥିବାରୁ ଆଉଥରେ ମାର୍କସିଟ୍ ଅପଲୋଡ୍ ଅବଧି ବୃଦ୍ଧି କରାଯାଇଛି।
ବାରମ୍ବାର ମେଧା ତାଲିକା ପ୍ରକାଶ ତାରିଖ ବଦଳୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ପରିବର୍ତ୍ତିତ ତାରିଖ ସମ୍ବନ୍ଧରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍ ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକ ଓ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି। ଏନେଇ ବିଭାଗର ପରଫରମାନ୍ସ ଟ୍ରାକିଂ ସେଲ୍ ଅଧିକାରୀ ମିହିର କୁମାର ଦାସ ଚିଠି ଲେଖି ଅବଗତ କରିଛନ୍ତି।
ଆସନ୍ତା ୧୭ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସେମାନଙ୍କର ସ୍ନାତକ(ୟୁଜି) ମାର୍କସିଟ୍ ଅପଲୋଡ୍ କରିପାରିବେ। ସାର୍ଟିଫିକେଟ୍ ଅପଲୋଡ୍ ପାଇଁ ବିଭାଗ ପକ୍ଷରୁ ଏଥର ଛାତ୍ରଛାତ୍ରୀଙ୍କୁ ଶେଷ ସୁଯୋଗ ଦିଆଯାଇଛି। ରାଜ୍ୟର ମୋଟ ୨୮ଟି ପରୀକ୍ଷା କେନ୍ଦ୍ରରେ ଗତମାସ ୧୨ରୁ୨୨ ଯାଏଁ ପ୍ରବେଶିକା ଅନୁଷ୍ଠିତ ହୋଇଥିଲା।
ପ୍ରାୟ ୬୦ ହଜାର ବିଦ୍ୟାର୍ଥୀ ପ୍ରବେଶିକା ପରୀକ୍ଷା ଦେଇଥିଲେ। ଛାତ୍ରଛାତ୍ରୀଙ୍କର କ୍ୟାରିୟରର ୩୦ ଓ ପ୍ରବେଶିକାର ୭୦ ପ୍ରତିଶତ ମାର୍କକୁ ଗଣନା କରାଯିବ। ଆସନ୍ତା ୨୧ ତାରିଖରେ କ୍ୟାରିୟର ଓ ପ୍ରବେଶିକା ମାର୍କକୁ ମିଶାଇ ମେଧା ତାଲିକା ପ୍ରକାଶ ପାଇବ। ମେଧା ତାଲିକା ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ଲଗ୍ଇନ୍ କରି ସେମାନଙ୍କର ଫଳ ଜାଣିପାରିବେ। ମେଧା ତାଲିକା ଅନୁସାରେ ଛାତ୍ରଛାତ୍ରୀ ସଂପୃକ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇପାରିବେ। ଡିସେମ୍ବର ୨୧ ସୁଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନରେ ପିଜି ନାମଲେଖା ଶେଷ ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି।