ଡିସେମ୍ବର ୩୧ ଯାଏଁ ବଢିଲା ଗାଡି ଡକ୍ୟୁମେଣ୍ଟ ଅବଧି
ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନା ଭାଇରସର ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଗାଡି ସମ୍ବନ୍ଧୀୟ ଡକ୍ୟୁମେଣ୍ଟର ଅବଧିକୁ ଡିସେମ୍ବର ୩୧ ଯାଏଁ ବୃଦ୍ଧି କରାଯାଇଛି । ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଆଡଭାଇଜରି ଜରି କରାଯାଇଛି ।
ଏ ସମ୍ପର୍କରେ କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ ସୋମବାର ଦିନ ଗାଡି ସମ୍ବନ୍ଧୀୟ କାଗପତ୍ରର ଅବଧିକୁ ବୃଦ୍ଧି କରାଯାଇଥିବା ନେଇ ଘୋଷଣା କରିଥିଲେ । ଯେଉଁଥିରେ ଗାଡି ଫିଟନେସ୍, ପରମିଟ୍, ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ୍ ଭଳି ଡକ୍ୟୁମେଣ୍ଟର ବୈଧତା ବଢାଇଛନ୍ତି ।
କରୋନା ମହାମାରୀ ଜନିତ ଲକଡାଉନ୍ ସମୟରେ ଅନେକ ବ୍ୟକ୍ତି ନିଜର ଗାଡି ସମ୍ବନ୍ଧୀୟ କାଗଜ ପତ୍ରର ନବୀକରଣ ତଥା ନୂଆ ଡକ୍ୟୁମେଣ୍ଟ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଯାହାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ଏହି ଅବଧିକୁ ବଢା ଯାଇଥିଲା ।
ତେବେ ଏହି ବର୍ଦ୍ଧିତ ଅବଧିକୁ ମିଶାଇ ସରକାର ମୋଟ୍ ୪ ଥର ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସରକାର ଗାଡି ସମ୍ବନ୍ଧୀୟ କାଗଜ ପତ୍ରର ନବୀକରଣ ଅବଧିକୁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ବଢାଇଥିଲେ ।
ଏହି ପରିପ୍ରେକ୍ଷୀରେ ନିତିନ ଗଡକରୀ କହିଛନ୍ତି ଯେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବଂ ସାମାଜିକ ଦୂରତ୍ୱ ନିୟମ ରକ୍ଷା ତଥା ଲୋକଙ୍କ ଅସୁବିଧାକୁ ନଜରରେ ରଖି ସରକାରଙ୍କ ପକ୍ଷରୁ ଏହି ଅବଧିକୁ ପୁଣିଥରେ ବଢାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଆହୁରି ମଧ୍ୟ ମନ୍ତ୍ରଣାଳୟର ସୂଚନାନୁଯାୟୀ ୨୦୨୦ ମସିହା ଫେବୃଆରୀ ୧ ତାରିଖ ପରଠାରୁ ଗାଡି କାଗଜ ପତ୍ର ନବୀକରଣ ପାଇଁ କୌଣସି ଶୁଲ୍କ ଦେବାକୁ ପଡିବ ନାହିଁ ।