ବାତ୍ୟା ଗୁଲାବ ପାଇଁ ବ୍ୟାପକ ପ୍ରସ୍ତୁତି: ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌, ତଟରକ୍ଷୀ ପ୍ରସ୍ତୁତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଗୁଲାବ୍‌’ ମୁକାବିଲା ନେଇ ପ୍ରସ୍ତୁତ ହୋଇଛି ପ୍ରଶାସନ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏନେଇ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ପ୍ରଭାବିତ ହେବାକୁ ଥିବା ୭ ଜିଲ୍ଲା ରେ  ୪୨ଟି ଓଡ୍ରାଫ୍ ଓ ୨୪ଟି ଏନ୍‌ଡିଆର୍‌ଏଫ୍ ଟିମ୍‌କୁ ମୁତୟନ  କରିବା ଲାଗି ନିର୍ଦେଶ ଦିଆଯାଇଛି। ଏହା ସହ ରାଜ୍ୟର ଜଳ ଭଣ୍ଡାର ଗୁଡ଼ିକ ଉପରେ ନଜର ରଖିବାକୁ ପଦକ୍ଷେପ ନିଆଯାଇଛି। ବାତ୍ୟା ଓ ସମ୍ଭାବ୍ୟ ବନ୍ୟାରେ ଯେମିତି କୌଣସି ଲୋକ ଭାସି ଯାଇ ମୃତ୍ୟୁ ମୁଖରେ ନପଡ଼େ ସେଥିଲାଗି ତଟରକ୍ଷୀ ବାହିନୀ ପଦକ୍ଷେପ ନେଇଛନ୍ତି।

 ଶନିବାର ଦିନ କ୍ୟାବି‌ନେଟ୍‌ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ମନ୍ତ୍ରାଳୟ/ଏଜେନ୍ସି ଓ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା କରାଯାଇଛି।

ବାତ୍ୟା ପ୍ରଭାବରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ନିଆଯାଉଥିବା ପ୍ରସ୍ତୁତି ସଂକ୍ରାନ୍ତରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ମୁଖ୍ୟ ସଚିବମାନେ ଏଥିରେର କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କୁ ଅବଗତ କରିଥିଲେ। । ଏଥିସହ ଟେଲି ଯୋଗାଯୋଗ, ବିଦ୍ୟୁତ୍‌ ଓ ଅନ୍ୟାନ୍ୟ ଭିତ୍ତିଭୂମିଗୁଡ଼ିକର ସର୍ବନିମ୍ନ କ୍ଷତି ପହଞ୍ଚାଇବା ପାଇଁ ନିଆଯାଉଥିବା ପଦକ୍ଷେପର ସୂଚନା ଦେଇଥିଲେ।

ରାଜ୍ୟରେ ପ୍ରସ୍ତୁତି

ସ୍ୱତନ୍ତ୍ର ରିଲିଫ କମିସନର(ଏସ୍‌ଆର୍‌ସି) ପ୍ରଦୀପ ଜେନା କହିଛନ୍ତି ଯେ ବାତ୍ୟା ପ୍ରଭାବ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଓ ମାଲକାନଗିରି ଜିଲ୍ଲା ଉପରେ ପଡ଼ିବ। ବାତ୍ୟାରେ ପବନର ବେଗ କମ୍‌ ରହିବ ସତ; ମାତ୍ର ପ୍ରବଳରୁ ଅତିପ୍ରବଳ ବର୍ଷା ଆଣିବ। ୨୬ ଓ ୨୭ ତାରିଖରେ ଓଡ଼ିଶାର ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିବ। ବାତ୍ୟା ନେଇ ଗତକାଲିଠାରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି।

ପ୍ରଭାବିତ ହେବାକୁ ଥିବା ୭ ଜିଲ୍ଲା ସହ ନୟାଗଡ଼କୁ ୪୨ଟି ଓଡ୍ରାଫ୍ ଓ ୨୪ଟି ଏନ୍‌ଡିଆର୍‌ଏଫ୍ ଟିମ୍‌କୁ ମୁତୟନ କରାଯିବ। ଅତିପ୍ରବଳ ବର୍ଷା ହେବାକୁ ଥିବାରୁ କେତେକ ସ୍ଥାନରେ ଅଚାନକ ବନ୍ୟା ଆସିପାରେ। ଋଷିକୂଲ୍ୟା, ନାଗାବଳୀ ଓ ବଂଶଧାରା ନଦୀ ଫୁଲିବା ସହ ବନ୍ୟାର ଆଶଙ୍କା ରହିଛି। ସମ୍ଭାବ୍ୟ ବାତ୍ୟା ‘ଗୁଲାବ୍’ ବିଗତ ଦିନର ବାତ୍ୟା ‘ତିତ୍‌ଲି’ ଭଳି ହେବ ବୋଲି ଅନୁମାନ କରାଯାଉଛି। ‌ତେଣୁ ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଭୂସ୍ଖଳନ ହୋଇପାରେ। ଏଥିପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକର ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଆସନ୍ନ ପ୍ରସବା ମହିଳାଙ୍କୁ ମେଡିକାଲ ଆଣିବାକୁ କୁହାଯାଇଛି। ରିଜର୍ଭର ଉପରେ ଜଳ ସମ୍ପଦ ବିଭାଗ କଡ଼ା ନଜର ରଖିଛି। ବିଶେଷକରି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ଜଳଭଣ୍ଡାର ଉପରେ ତୀକ୍ଷଣ ନଜର ରହିଛି। ଯେଉଁଠି ପାଣି ଅଧିକ ରହିଛି ତାହାକୁ ଛାଡ଼ିବାକୁ କୁହାଯାଇଛି। ଓଡ୍ରାଫ, ଏନ୍‌ଡିଆର୍‌ଏଫ୍‌ ଓ ଫାୟାର ସର୍ଭିସ ସହିତ ଆଲୋଚନା କରାଯାଇ ପ୍ରସ୍ତୁତ କରି ରଖାଯାଇଛି। ୧୦୨ରୁ ଅଧିକ ଫାୟାର ସର୍ଭିସ ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ ହୋଇଛନ୍ତି। ସେହିପରି ସମ୍ଭାବ୍ୟ ବତ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଜରୁରୀକାଳୀନ ସହାୟତା ଲାଗି ଟୋଲ୍‌ ଫ୍ରି ନମ୍ବର-୧୫୫୪ ଜାରି ହୋଇଛି।

 

ବାତ୍ୟା ଗୁଲାବ୍‌: ଗଜପତିରେ ଭୂସ୍ଖଳନ ଭୟ, ୨୦୧୮ ଓ ୨୦୧୯ରେ ଯାଇଥିଲା ପ୍ରାଣ

 

Leave a Reply

Your email address will not be published.