ଅମ୍ଫନ କ୍ଷୟ କ୍ଷତି ଆକଳନ ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ଟିମ୍
ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡିଶାର ଅମ୍ଫନ କ୍ଷତିଗ୍ରସ୍ତ ଅଞ୍ଚଳରେ ଅନୁଧ୍ୟାନ କରିବାକୁ ଭୁବନେଶ୍ବରରେ ୭ ଜଣିଆ କେନ୍ଦ୍ରୀୟ ଟିମ୍ ପହଞ୍ଚିଛନ୍ତି । ଏହି ଟିମ୍ ସକାଳୁ ବାଲେଶ୍ବର ଓ କେନ୍ଦ୍ରାପଡା ଅଭିମୁଖେ ବାହାରିଛନ୍ତି । ଗୃହ ବିଭାଗର ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ବରେ ଆସିଛି ଏହି ଟିମ୍ । ପ୍ରଥମ ଟିମ୍ ଆଜି ବାଲେଶ୍ବର ଯିବ ଏବଂ ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ କ୍ଷୟକ୍ଷତିର ଆକଳନ କରିବ ।
ଦ୍ବିତୀୟ ଟିମ୍ ଆଜି କେନ୍ଦ୍ରାପଡା ଯିବ ଏବଂ କାଲି ଜଗତସିଂହପୁର ଯିବାର କାର୍ଯ୍ୟକ୍ରମ ରହିଛି । ୨ ଦିନ ଫିଲ୍ଡ ଭିଜିଟ୍ ପରେ କେନ୍ଦ୍ରୀୟ ଟିମ୍ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବେ । ଅମ୍ଫନରେ ଓଡିଶାରେ ହୋଇଥିବା କ୍ଷୟକ୍ଷତି ସଂପର୍କରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ଏହି ଟିମ୍ ।ଏହା ଆଗରୁ ଅମ୍ଫନ କ୍ଷତିଗ୍ରସ୍ତ ଅଞ୍ଚଳରୁ ଆକାଶ ମାର୍ଗରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଧ୍ୟାନ କରିବା ସହ ତୁରନ୍ତ ୫ଶହ କୋଟି ଟଙ୍କାର ସହାୟତା ମଞ୍ଜୁର କରିଥିଲେ । ତେବେ ପୂରା କ୍ଷୟକ୍ଷତିର ପରିମାଣ ଆକଳନ କରିବାକୁ ଆସିଛି କେନ୍ଦ୍ରୀୟ ଟିମ୍ ।