ଫେବୃୟାରୀ ୧ରେ କେନ୍ଦ୍ର ବଜେଟ୍ : ଚାଷୀଙ୍କ ପାଇଁ ହୋଇପାରେ ବଡ ଘୋଷଣା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବୃୟାରୀ ୧ରେ ବର୍ଷ ୨୦୨୧-୨୨ ପାଇଁ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରିବେ । ତେବେ ଚଳିତ ବଜେଟ୍‌​‌ରେ କେଉଁ କେଉଁ କ୍ଷେତ୍ରକୁ ଗୁରୁତ୍ବ ଦିଆଯିବ ତାହା ସବୁଠୁ ବଡ ପ୍ରଶ୍ନବାଚୀ । କାରଣ କରୋନା ମହାମାରୀ ସମୟରେ ଧୂଳିସାତ୍‌ ହୋଇଯାଇଥିବା ଦେଶର ଅର୍ଥ ବ୍ୟବସ୍ଥା ପାଇଁ ଚଳିତ ବଜେଟ୍‌ ଚ୍ୟାଲେଞ୍ଜିଂ ହେବ । ଅନ୍ୟପଟେ ୩ ନୂଆ କୃଷି ଆଇନକୁ ବିରୋଧ କରି ଗତ ୫୦ ଦିନ ହେଲା ଦିଲ୍ଲୀର ବିଭିନ୍ନ ସୀମାରେ ଧାରଣାରେ ବସିଥିବା କୃଷକମାନଙ୍କ ପାଇଁ ସରକାରଙ୍କ ଆଭିମୁଖ୍ୟ କଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ନୂଆ କୃଷି ଆଇନକୁ ବିରୋଧ କରିବା ସହ ଏହାକୁ ପ୍ରତ୍ୟାହାର ଦାବିରେ ଗତ ୫୦ ଦିନରୁ ଉର୍ଦ୍ଧ୍ବ ଦିନ ଧରି ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । କିନ୍ତୁ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାହାର ପାଇଁ ସ୍ପଷ୍ଟ ଭାବେ ମନାକରିଥିବା ବେଳେ ଆବଶ୍ୟକ ପଡିଲେ ନୂଆ କୃଷି ବିଲ୍‌ରେ ସଂଶୋଧନ ପାଇଁ ରାଜି ଥିବା କହିଛନ୍ତି । ଏହା ସହିତ ଚାଷୀମାନେ ଧାରଣା ପ୍ରତ୍ୟାହାର କରି ନୂଆ କୃଷି ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ ଦିଅନ୍ତୁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟୋକ୍ତି ଦିଆଯାଇଛି । ପୂର୍ବରୁ ଚାଷୀ ଏବଂ ସରକାରଙ୍କ ମଧ୍ୟରେ ୧୧ ଥର ବୈଠକ ହୋଇଥିଲେ ସୁଦ୍ଧା ସମାଧାନର ରାସ୍ତା ବାହାରି ପାରିନାହିଁ ।

ତେବେ ଆସନ୍ତା ଫେବୃୟାରୀ ୧ ତାରିଖରେ କେନ୍ଦ୍ର ବଜେଟ୍‌ ଉପସ୍ଥାପନ ହେବାକୁ ଥିବାରୁ ଚଷୀମାନଙ୍କ ପାଇଁ କିଛି ବଡ ଘୋଷଣା କରିପାରନ୍ତି ସରକାର । ଉକ୍ତ ବଜେଟ୍‌ରେ ନୂଆ କୃଷି ଆଇନକୁ ଆହୁରି ସୁଦୃଢ କରିବା ପାଇଁ ଅତିରିକ୍ତ ବଜେଟ୍‌ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ । କାରଣ ଆନ୍ଦୋଳନ ଜାରି ରହିଥିଲେ ସୁଦ୍ଧା ସରକାର ବାରମ୍ବାର କହିଛନ୍ତି ଯେ, ନୂଆ ୩ଟି କୃଷି ବିଲ ଚାଷୀମାନଙ୍କ ସୁବିଧା ପାଇଁ କରାଯାଇଛି ।

Leave a Reply

Your email address will not be published. Required fields are marked *