ଜୁଲାଇରେ ପ୍ରକାଶ ପାଇବ CBSE ୧୦ମ ପରୀକ୍ଷା ଫଳ, ବଦଳିଲା ମାର୍କ ସବମିଟ୍ ତାରିଖ
ନୂଆଦିଲ୍ଲୀ, (ଓଡିଶା ଟାଇମ୍):କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ୧୦ମ ବୋର୍ଡ ପରୀକ୍ଷା ଫଳ ଜୁନ ୨୦ରେ ପ୍ରକାଶିତ ହେବ ନାହିଁ। ପରିବର୍ତ୍ତିତ ସିଡ୍ୟୁଲ ଅନୁସାରେ ପରୀକ୍ଷା ଫଳ ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ କରାଯିବ। ମଙ୍ଗଳବାର ସିବିଏସଇ ଏ ନେଇ ନୋଟିସ୍ ଜାରି କରିଥିବା ବେଳେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ମାର୍କ ସବମିଟ୍ ଅନ୍ତିମ ତିଥି ସମ୍ପ୍ରସାରଣ କରିଛନ୍ତି। ବିଭିନ୍ନ ରାଜ୍ୟରେ କୋଭିଡ-୧୯ ମହାମାରୀ ଲାଗି ଜାରି ଲକଡାଉନରେ ସ୍କୁଲ, ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ତାରିଖ ସମ୍ପ୍ରସାରଣ ଲାଗି ନିଷ୍ପତି ନିଆ ଯାଇଥିବା କୁହାଯାଇଛି।
ସିବିଏସଇଙ୍କ ନୂଆ ସିଡ୍ୟୁଲ ଅନୁସାରେ ମେ ୨୦ ତାରିଖରୁ ପୋର୍ଟାଲ ଉପଲବ୍ଧ ହେବ। ମାର୍କ ସବମିଟ୍ ଲାଗି ଶେଷ ତାରିଖ ୩୦ ଜୁନ ୨୦୨୧ନିର୍ଦ୍ଧାରିତ ହୋଇଛି। ତେବେ ଏହା ପୂର୍ବରୁ ସିବିଏସଇ ଜୁନ ୨୦୨୧ ତୃତୀୟ ସପ୍ତାହ ସୁଧା ୧୦ ପରୀକ୍ଷା ଫଳ ଘୋଷଣା କରିଦେବେ ବୋଲି ମେ ୧ ତାରିଖ ଦିନ ଘୋଷଣା କରିଥିଲେ। ତେବେ ମାର୍କ ସବମିସନ ଲାଗି ତିଥି ଆଗକୁ ବଢାଇବାରୁ ଏବେ ଜୁଲାଇ ପ୍ରଥମ ସପ୍ତାହରେ ହିଁ ପରୀକ୍ଷା ଫଳ ପ୍ରକାଶ କରିବେ।
ସିବିଏସଇ ଛାତ୍ରଛାତ୍ରୀଙ୍କୁ ଇଣ୍ଟରନାଲ ଆସେସମେଣ୍ଟ ଆଧାରରେ କୌଣସି ବିଷୟରେ ସର୍ବାଧିକ ୨୦ ମାର୍କ ଦେବେ। ତେବେ ବାକି ୮୦ ମାର୍କ ମିଡ ଟର୍ମ, ପ୍ରିବୋର୍ଡ ଓ ୟୁନିଟ୍ ଟେଷ୍ଟ ପରୀକ୍ଷା ଫଳ ଆଧାରରେ ପ୍ରଦାନ କରାଯିବ। ଛାତ୍ରଛାତ୍ରୀଙ୍କୁ ୟୁନିଟ୍ ଟେଷ୍ଟରୁ ସର୍ବାଧିକ ୧୦ ମାର୍କ ମିଳିବାକୁ ଥିବା ବେଳେ ମିଡ ଟର୍ମରୁ ୩୦ ମାର୍କ ଓ ପ୍ରି ବୋର୍ଡ ପରୀକ୍ଷା ଫଳରୁ ୪୦ ମାର୍କ ପର୍ଯ୍ୟନ୍ତ ନିର୍ଦ୍ଧାରିତ କରାଯାଇଛି।
ଏହା ବାଦେ ଯଦି ପରୀକ୍ଷା ଫଳକୁ ନେଇ କୌଣସି ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ଉପୁଜେ ତେବେ କୋଭିଡ ପରିସ୍ଥିତି ସୁଧୁରିବା ପରେ ସେମାନଙ୍କୁ ଥରଟିଏ ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ। ପ୍ରତ୍ୟେକ ସ୍କୁଲରେ ପ୍ରିନ୍ସପାଲ ଓ ୭ ଜଣ ଶିକ୍ଷକଙ୍କୁ ନେଇ ରେଜଲ୍ଟ କମିଟି ଗଠନ କରାଯିବ। ଏହି କମିଟିରେ ୨ ଜଣ ଶିକ୍ଷକ ଅନ୍ୟ ବିଦ୍ୟାଳୟରୁ ଆମନ୍ତ୍ରିତ ସଦସ୍ୟ ରହିବେ। ଏହି ରେଜଲ୍ଟ କମିଟିରେ ସାମିଲ ହେବା ଲାଗି ଅନ୍ୟ ସ୍କୁଲରୁ ଆସୁଥିବା ପ୍ରତି ଶିକ୍ଷକଙ୍କୁ ସିବିଏସଇ୨ହଜାର ୫୦୦ ଟଙ୍କା ଲେଖାଏଁ ଦେବେ। ତେବେ ନିଜ ସ୍କୁଲର ସଦସ୍ୟଙ୍କୁ କମିଟିରେ ସାମିଲ ହେବା ଲାଗି ୧୫ଶହ ଟଙ୍କା ଲେଖାଏଁ ମିଳିବ।











