ସାଂସଦ ଅନୁଭବଙ୍କ ନାଁରେ ଭରଣପୋଷଣ ମାମଲା ରୁଜୁ କଲେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ
ଭୁବନେଶ୍ବର, (ଓଡିଶା ଟାଇମ୍) : କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ଭରଣପୋଷଣ ମାମଲା ରୁଜୁ କଲେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ । କଟକ ଏସଡ଼ିଜେଏମ୍ ଅଦାଲତରେ ଏ ନେଇ ଏକ ମାମଲା ରୁଜୁ ହୋଇଛି ଏବଂ ଆସନ୍ତା ୭ ତାରିଖରେ ତାହାର ଶୁଣାଣି ଧାର୍ଯ୍ୟ ହୋଇଛି ।
ସୂଚନା ଅନୁସାରେ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସ୍ବାମୀ ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ଆଇନର ଧାରା ୨୦୦୫ର ବିଭିନ୍ନ ଦଫାରେ ମାମଲା ରୁଜୁ କରିଛନ୍ତି । ସେ ଏଥିରେ କେତେକ ନିର୍ଦିଷ୍ଟ ଅଭିଯୋଗ ଆଣିବା ସହ ତାଙ୍କଠାରୁ କ୍ଷତିପୂରଣ ଦାବି କରିଛନ୍ତି । ତେବେ ନିର୍ଦିଷ୍ଟ ଭାବରେ ଅନୁଭବଙ୍କ ବିରୋଧରେ ବର୍ଷା କେଉଁକେଉଁ ଅଭିଯୋଗ ଆଣିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଏଥିପାଇଁ ସେ ଭବିଷ୍ୟତରେ ଜୀଇବା ପାଇଁ କ୍ଷତିପୂରଣ, ଘରଭଡ଼ା, ଚିକିତ୍ସା ଖର୍ଚ ଆଦି ଦାବି କରିଥିବା ଜଣାପଡ଼ିଛି ।
ବର୍ଷା ସିଆରଏଲଏମସି ନମ୍ବର ୯୪/୨୦୨୦ରେ ପ୍ରୋଟେକ୍ସନ ଅଫ ୱମେନ ଫ୍ରମ ଡୋମେଷ୍ଟିକ ଭାଓଲେନ୍ସ ଆକ୍ଟ ୨୦୦୫ର ଦଫା ୧୨, ୧୭, ୧୮, ୧୯, ୨୦ ଓ ୨୨ରେ ମକଦ୍ଧମା ଦାୟର କରିଛନ୍ତି । ବର୍ଷା ଅଭିଯୋଗ କରିଛନ୍ତିଯେ, ତାଙ୍କ ଉପସ୍ଥିତିରେ ଅନୁଭବ ନିଜର ମଦ୍ୟପ ବନ୍ଧୁମାନଙ୍କ ସହ ମିଶି ନିଜ ବେଡ଼ ରୁମରେ ମଦ୍ୟପାନ କରନ୍ତି ଏବଂ ବର୍ଷାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ବି ଦେଇଥା’ନ୍ତି । ଏହାର ବିରୋଧ କରିବାରୁ ତାଙ୍କୁ ଧକ୍କା ମାରି ନିଜ ଘରୁ ବାହାର କରିଦେଇଛନ୍ତି ବୋଲି ଖବର ପ୍ରକାଶ ପାଇଛି ।
ଖାଲି ସେତିକିନୁହେଁ, ସିନେମା ଜଗତର ଅନ୍ୟ ଝିଅମାନଙ୍କ ସହ ଅନୁଭବଙ୍କର ସମ୍ପର୍କ ରହିଛି । ନିଜ ଅଭିଯୋଗ ପତ୍ରରେ ବର୍ଷା ଅନୁଭବଙ୍କ ନିକଟରୁ ଘରଭଡ଼ା ବାବଦରେ ୨୦ ହଜାର ଟଙ୍କା, ମାସିକ ଭରଣପୋଷଣ ନିମନ୍ତେ ୫୦ ହଜାର ଟଙ୍କା, କ୍ଷତିପୂରଣ ବାବଦକୁ ୧୩ କୋଟି ଟଙ୍କା ଏବଂ ଚିକିତ୍ସା ଓ ରୋଜଗାର ହରାଇଥିବାରୁ ୨ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ମକଦ୍ଧମାଟି ମାନ୍ୟବର ଅଦାଲତ ପ୍ରୋଟେକ୍ସନ ଅଫିସରଙ୍କ ନିକଟକୁ ପଠାଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।