କାମ କରୁନି ଏଏସଆଇ: ଶ୍ରୀମନ୍ଦିର ଜଗମୋହନରୁ ପୁଣି ଖସିଲା ପଥର, ରାଜ୍ୟ ସରକାର ବି ନିଦରେ
ଭୁବନେଶ୍ଵର, (ଓଡିଶା ଟାଇମ): ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରୁ ପୁଣିଥରେ ପଥର ଖସିଛି। ପୂର୍ବଭଳି ଏହା କୌଣସି ପଥରର ଆବରଣ ନୁହେଁ, ବରଂ 12ଶ ଶତାବ୍ଦୀର ଏକ କାରୁକାର୍ଯ୍ଯସମ୍ପନ୍ନ ସମ୍ପନ୍ନ ପଥର ଖଣ୍ଡ। ଏହା ଜଗମୋହନର ଉପରଭାଗ ଚାଳିରୁ ଖସିଛି, ଯାହାର ଲମ୍ବ ପ୍ରାୟ ଦେଢଫୁଟ ହେବ। ପଥରକୁ ଏଏସଆଇକୁ ହସ୍ତାନ୍ତର କରାଯାଇଛି, ହେଲେ ସଂସ୍ଥା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି।
ଘଟଣା ଘଟିଛି ଦୀପାବଳି ପୂର୍ବ ସନ୍ଧ୍ୟାରେ। ପ୍ରାୟ 100 ଫୁଟ ଉପରେ ଥିବା ଦଶକୋଣରୁ ଏହି ପଥର ଛିଣ୍ଡି ତଳେ ପଡିଲାପରେ ଶ୍ରୀମନ୍ଦିର ପ୍ରଶାସନ ତାହାକୁ ଉଦ୍ଧାର କରିଥିଲା। ହେଲେ କାର୍ତ୍ତିକ ମାସ ଗହଳିରେ ଯେମିତି ଏହାକୁ ନେଇ ଭକ୍ତଙ୍କ ଭିତରେ କୌଣସି ଭୟ ସୃଷ୍ଟି ନ କରିବା ତାହାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା। ଫଳରେ ଯେଉଁ ମନ୍ଦିରରୁ ଚୂନ ଖୋଳପା ଖସିଲେ ଚର୍ଚା ହେଉଥିଲା ଏତେବଡ଼ ପଥର ଖସିଥିଲେ ବି ସେଠି ନୀରବ ରହିଥିଲା।
ଶ୍ରୀମନ୍ଦିରର ଜଣେ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ 23 ଅକ୍ଟୋବର ଅପରାହ୍ନରେ ମନ୍ଦିରର ଜଗମୋହନର ବାହାରଭାଗ ଉପରୁ ଏକ ପଥର ଖଣ୍ଡ ଖସିଛି। ଏହାକୁ ମନ୍ଦିର ସୁପରଭାଇଜରଙ୍କ ଦ୍ବାରା ସେଠାରେ ଅବସ୍ଥିତ ଏଏସଆଇ ମନୁମେଣ୍ଟ ଅଟେଣ୍ଡଣ୍ଟଙ୍କୁ ହସ୍ତାନ୍ତର କରାଯାଇଛି। ଏହି ପଥରରେ ଅନେକ ସୂକ୍ଷ୍ମ କାରୁକାର୍ଯ୍ଯ ହୋଇଛି। ଏହାର ଲମ୍ବା 400 ମିଲିମିଟର ବା 1.3 ଫୁଟ ହୋଇଥିବା ବେଳେ ପ୍ରସ୍ଥ 200 ମିଲିମିଟର ଆଉ ଉଚ୍ଚତା 250 ମିଲିମିଟର। ଏହା ଜଗମୋହନର ଦକ୍ଷିଣ ପୂର୍ବ କୋଣ ଉପରେ ଅବସ୍ଥିତ ଦଶକୋଣର ତୃତୀୟ ବେଢାରୁ ଖସିଛି। ଫୋଟୋରେ ଖସିଥିବା ପଥରକୁ ଦର୍ଶଯାଇଛି। କେବଳ ‘ଓଡିଶା ଟାଇମ’ ଏହି ଫୋଟୋକୁ ଆପଣଙ୍କ ସାମନାକୁ ଆଣିଛି।
ମନ୍ଦିରର ଜଗମୋହନ ସଂରକ୍ଷଣ କାମ ନିକଟରେ ଶେଷ ହୋଇଛି। ଏଥିରେ ଭିତରପଟେ ବିକଳ୍ପ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ମଧ୍ୟ ବାହାର ଭାଗ ଏବେ ଅସୁରକ୍ଷିତ ତଥା ବିପଜ୍ଜନକ ରହିଛି। ହେଲେ ଶ୍ରୀମନ୍ଦିର ପ୍ରଶାସନ କି ଏଏସଆଇ ଏ ନେଇ ତତ୍ପର ନାହାନ୍ତି। କେବଳ ବାହାବା ନେବା ତଥା ପରିକ୍ରମା ପ୍ରକଳ୍ପ ଲାଗି ମୁଖ୍ୟ ପ୍ରଶାସକ ବ୍ୟସ୍ତ ଥିବା ବେଳେ ଯେଉଁ ମନ୍ଦିର ଲାଗି ଏତେ ଚିନ୍ତା କରାଯାଉଛି ତାହା ଦିନକୁ ଦିନ ବିପଦକୁ ଠେଲି ହେଉଛି।
ମନ୍ଦିର ପକ୍ଷରୁ ସବୁବେଳେ ସ୍ପଷ୍ଟିକରଣ ଦିଆ ଯାଉଛି ଯେ ଏ ସମ୍ବନ୍ଧରେ ଶ୍ରୀମନ୍ଦିର ପ୍ରଶାସନ ବାରମ୍ବାର ଏଏସଆଇ ଦୃଷ୍ଟି ଆକର୍ଷଣ କରିଛି। ହେଲେ ଶେଷ ଚିଠି ବିନିମୟ 2020 ମସିହା ମେ ମାସରେ ହୋଇଥିବା ଜଣା ପଡିଛି। ସେତେବେଳେ ଏକ ବୈଠକ ଆୟୋଜନ ପରେ ମନ୍ଦିର ପ୍ରଶାସନ ଏଏସଆଇକୁ ଏକ ଚିଠି ଦେଇଥିଲା। ଏଥିରେ ଲେଖାଥିଲା, ଜଗମୋହନର ଗଡାଣିଆ ଭାଗରେ ଅନେକ ଫାଟ ସୃଷ୍ଟି ହେଲାଣି। ପଥର ଫାଟି ଆଁ କଲାଣି। କିଛିଦିନ ପୂର୍ବେ ଦକ୍ଷିଣ-ପୂର୍ବ କୋଣପାଗର ଉପର ଚାଳିରୁ ଏମିତି ଏକ ପଥର ଖସିଥିଲା। ପୁଣି ଏ ଅଞ୍ଚଳରେ ଭକ୍ତ ଓ ସେବକ ବୁଲାଚଳା କରୁଥିବାରୁ ସୁରକ୍ଷା ନିଶ୍ଚିତ କରିବା ଜରୁରୀ। ହେଲେ ତାହାର କିଛି ଜବାବ ବିଗତ ଦୁଇବର୍ଷରେ ଦେଖିବାକୁ ମିଳିନି। ଦେବୋତ୍ତର ବିଭାଗ କି ସରକାରଙ୍କ 5-ଟି ବିଭାଗ ବି ଏ ସମ୍ବନ୍ଧରେ ନିଦାବିଷ୍ଣୁ ପାଲଟିଛି।