ମଙ୍ଗଳବାରଠୁ ପୁରୀରେ ଆରମ୍ଭ ହେବ ରଥ ନିର୍ମାଣ

ଭୁବନେଶ୍ଵର(ଓଡ଼ିଶା ଟାଇମ୍‌): ମହାମାରୀ କରୋନା ଭୟ ଭିତରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥାଯାତ୍ରା ପାଇଁ ଉଦ୍ୟମ ଚାଲିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାରଠାରୁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ସୋମବାର ଅପରାହ୍ଣରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁସାରେ ରଥ ନିର୍ମାଣ କାର୍ଯ୍ୟ ପ୍ରସଙ୍ଗରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରଥଯାତ୍ରାର ୨ମାସ ପୂର୍ବରୁ ରଥ ନିର୍ମାଣ ହୋଇଥାଏ। ତେବେ ଚଳିତବର୍ଷ କରୋନା ପାଇଁ ରଥ ନିର୍ମାଣରେ ବିଳମ୍ବ ହୋଇଛି। ସରକାରଙ୍କ ଗାଇଡ୍‌ ଲାଇନ ଅନୁଯାୟୀ କାର୍ଯ୍ୟ କରାଯିବ। ୩ଟି ଜୋନ୍‌ରେ ନିର୍ମାଣ କାମ ପାଇଁ ଅନୁମତି ସରକାର ଦେଇଛନ୍ତି। ପୁରୀ ଜିଲ୍ଲା ଗ୍ରୀନ ଜୋନରେ ଥିବାରୁ ରଥ ନିର୍ମାଣ କାମ ହୋଇପାରିବ। ଏହାସହ ରଥଖଳା ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ଗଜପତି କହିଛନ୍ତି। କେନ୍ଦ୍ରର ଗାଇଡ୍‌ ଲାଇନ ଅନୁଯାୟୀ ରାଜ୍ୟକୁ ଜଣାଇବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାରଙ୍କଠାରେ କମିଟି ନିଜ ଦାବି ରଖିବ। ରଥ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଛି କିନ୍ତୁ ଆରମ୍ଭ କଲେ ହୋଇଯିବ। ସରକାର ପରିସ୍ଥିତିକୁ ଦେଖି ଯାହା ଯାହା ନିଷ୍ପତ୍ତି ନେବେ ଆମେ ତାହା ଗ୍ରହଣ କରିବୁ ବୋଲି ଗଜପତି କହିଛନ୍ତି।

Leave a Reply

Your email address will not be published. Required fields are marked *