ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଓଲଟିଲା ବସ୍‌

ବଲାଙ୍ଗିର /ରାୟଗଡା, (ଓଡିଶା ଟାଇମ୍) :ଦୁର୍ଘଟଣାରେ ବି ଅଜବ ସଂଯୋଗ । ବସ୍‌ର ନାମ ଗୋଟିଏ, କିନ୍ତୁ ଭିନ୍ନ ଭିନ୍ନ ସ୍ଥାନରେ ଘଟିଛି ଦୁର୍ଘଟଣା ।  ଦୁର୍ଘଟଣାର ସମୟ ମଧ୍ୟ ପାଖାପାଖି ସମାନ ରହିଛି । ଶନିବାର ସକାଳ ସମୟରେ ରାଜ୍ୟର ୨ଟି ସ୍ଥାନରେ ୨ଟି ଦୁର୍ଘଟଣା ଘଟିଛି । ଗୋଟିଏ ଦୁର୍ଘଟଣା ବଲାଙ୍ଗୀରରେ ହୋଇଥିବା ବେଳେ ଅନ୍ୟଟି ରାୟଗଡ଼ା ମୁନିଗୁଡ଼ାରେ ଘଟିଛି । ଦୁର୍ଘଟଣାଗ୍ରସ୍ତ ୨ଟି ବସ୍‌ର ନାମ ‘ରଘୁନାଥ’ । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କ ଉଦ୍ଧାର କରି ଭିନ୍ନ ଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବଲାଙ୍ଗିରରେ  ଶନିବାର ଦିନ ସକାଳ ସମୟରେ  ରଘୁନାଥ ନାମକ ଏକ ବସ୍ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ  ୫ଜଣ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଅନ୍ଯ ସମସ୍ତ ଯାତ୍ରୀ। ଝରିଗାଁ ରୁ କଟକ ଅଭିମୁଖେ ଯାଉଥିବା ବସ୍‌ଟି ବଲାଙ୍ଗିର ମାମୁଁ ଢାବା ନିକଟରେ ଏହି ଦୁର୍ଘଟଣା ଘଟିଛି । ଦ୍ରୁତ ଗତି ଓ ଡ୍ରାଇଭରଙ୍କ ଭୁଲ ଗାଡି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ସମସ୍ତ ଆହତଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଟାରେ ତାଙ୍କ ଚିକିତ୍ସା ଜାରି ରହିଛି ।

ସେହିପରି ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ମୁନିଗାଁ ନିକଟରେ ଏକ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ସେହି ବସ୍‌ର ନାମ ମଧ୍ୟ ରଘୁନାଥ । ଆଜି ଭୋର ସମୟରେ ବସ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି ।  ମୃତକ ହେଲେ ନୟାଗଡ଼ ଜିଲ୍ଲାର ରମେଶ ଜେନା । ଦୁର୍ଘଟଣାରେ ୭ଜଣ ଗୁରୁତରଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *