ମୁମ୍ବାଇର ଏକ ହୋଟେଲରୁ ଦାଦ୍ରା ଓ ନଗର ହାବେଳି ସାଂସଦଙ୍କ ମୃତଦେହ ଉଦ୍ଧାର
ମୁମ୍ବାଇ, (ଓଡିଶା ଟାଇମ୍) :ମୁମ୍ବାଇର ଏକ ହୋଟେଲରୁ ଦାଦ୍ରା ଓ ନଗର ହାବେଳିର ସାଂସଦ ମୋହନ ଡେଲକରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୁମ୍ବାଇର ମେରାଇନ୍ ଡ୍ରାଇଭରେ ଥିବା ଏକ ହୋଟେଲରୁ ମୋହନ ଡେଲକରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନ୍ୟୁଜ୍ ୧୮ରେ ପ୍ରକାଶିତ ଖବର ଅନୁସାରେ ସାଂସଦଙ୍କ ମୃତଦେହ ଗ୍ରିନ୍ ହୋଟେଲରୁ ମିଳିଛି।
ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ଏନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପୋଲିସ ମାମଲାର ଯାଞ୍ଚ କରୁଛି।
୫୮ ବର୍ଷୀୟ ମୋହନ ଡେଲକର ଦାଦ୍ରା ଏବଂ ନଗର ହାବେଳି ଲୋକସଭା କ୍ଷେତ୍ରର ନିର୍ଦ୍ଦଳୀୟ ସାଂସଦ। ୧୯୮୯ରେ ଏହି କ୍ଷେତ୍ରରୁ ମୋହନ ପ୍ରଥମ ଥର ସାଂସଦ ହୋଇଥିଲେ। ଏହା ପରେ ଏଠାରୁ ସେ ବହୁ ବାର ସାଂସଦ ହୋଇଛନ୍ତି।
ମୋହନ ଡେଲକର ନବଶକ୍ତି ପାର୍ଟି ପକ୍ଷରୁ ମଧ୍ୟ ସାଂସଦ ହୋଇଛନ୍ତି। ୨୦୦୯ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ସେ ନିର୍ଦ୍ଦଳୀୟ ଭାବେ ଲଢ଼ି ବିଜୟ ହାସଲ କରିଥିଲେ।