ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ ସିଲ୍
ଭୁବନେଶ୍ବର, (ଓଡିଶା ଟାଇମ୍) : ସିଲ୍ ହେଲା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ । ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସାଂସଦଙ୍କ ପଳାସପଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି । କାର୍ଯ୍ୟାଳୟରେ ଜନ୍ମଦିନ ପାଳନ କରିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ । ଜନ୍ମଦିନ ପାଳନ ବେଳେ କୋଭିଡ୍ ନିୟମ ଉଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା ।
ସେପଟେ ସାଂସଦ ଅପରାଜିତାଙ୍କ ନାଁରେ ଅଭିଯୋଗ ହୋଇଛି । ଡିସିପି ଅଫିସରେ ଫେରାଦ ହୋଇଛନ୍ତି କୋଭିଡ୍ ଯୋଦ୍ଧା । ମେଡିକାଲ ଷ୍ଟାଫ୍, ସଫେଇ କର୍ମଚାରୀ, ଆଶା କର୍ମୀ ଓ କୋଭିଡ୍ ସଚେତକମାନେ ଫେରାଦ ହୋଇଛନ୍ତି । ସାଂସଦଙ୍କ ବେପରୁଆ କାର୍ଯ୍ୟ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇଛି । ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଉଲ୍ଲେଖ ଯୋଗ୍ୟ, କିଛି ଦିନ ପୂର୍ବେ ସାଂସଦ ଅପରାଜିତା ଷଡଙ୍ଗୀ ନିଜ କାର୍ଯ୍ୟାଳୟରେ ଜନ୍ମଦିନ ପାଳନ କରିଥିଲେ।ଜନ୍ମଦିନ ପାଳନର ଭିଡିଓ ଭାଇରାଲ୍ ହୋଇଥିଲା। ଏଥିରେ ସେ କୋଭିଡ୍ ନିୟମ ଉଲଂଘନ କରିଥିବା ଦେଖିବାକୁ ମିଳିଥିଲା। ଯାହାକୁ ବିରୋଧ କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା।