କୋଭିଡ ସମୟରେ ଓଡିଶା ସରକାରଙ୍କ ବସ୍ତି ଉଚ୍ଛେଦ ଅଭିଯାନକୁ ଦୃଢ ନିନ୍ଦା
ଭୁବନେଶ୍ବର (ଓଡିଶା ଟାଇମ୍) : ଓଡିଶା ସରକାର ତଥା ଭୁବନେଶ୍ବର ଉନ୍ନୟନ କର୍ତ୍ତୁପକ୍ଷ ଓ ଭୁବନେଶ୍ବର ମ୍ଯୁନିସିପାଲିଟିର ଅଧିକାରୀମାନେ ସହର ମଧ୍ୟରେ ଥିବା ଡମଣା ନିକଟସ୍ଥ ତାରିଣୀ ବସ୍ତିର ୪୩୧ ପରିବାରଙ୍କୁ ଉଚ୍ଛେଦ କରିବା ଲାଗି ଯେଉଁ ଉଦ୍ୟମ କଲେ ତାହା ଅତ୍ୟନ୍ତ ଚିନ୍ତାର ବିଷୟ । ରିପୋର୍ଟ ଅନୁସାରେ, ଗତ ୦୬ ତାରିଖ ଦିନ ବହୁସଂଖ୍ୟକ ପୁଲିସ ସହାୟତାରେ ସରକାରୀ ଅଧିକାରୀମାନଙ୍କ ବସ୍ତିର ଗୃହ ଭାଙ୍ଗିବା ଉଦ୍ୟମକୁ ପ୍ରତିରୋଧ କରିବାକୁ ଯାଇ ସେଠାର ପୁରୁଷ ଓ ମହିଳାମାନେ ପ୍ରବେଶ ରାସ୍ତାରେ ଶୋଇଯାଇଥିଲେ । ସଂଗଠନ ଓ ରାଜନୈତିକ ଦଳମାନେ ରାଜ୍ୟ ସରକାରଙ୍କ ଏହି ଅଗଣତାନ୍ତ୍ରିକ କାର୍ଯ୍ୟକୁ ଦୃଢଭାବରେ ନିନ୍ଦା କରୁଛୁ ।
ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଠାରୁ ଆରମ୍ଭ କରି ପଞ୍ଚାୟତର ସରପଞ୍ଚ ପର୍ଯ୍ୟନ୍ତ, କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ସମସ୍ତ ରାଜ୍ୟ ସରକାର ପର୍ଯ୍ୟନ୍ତ, ସମସ୍ତେ କରୋନାର ସଂକ୍ରମଣକୁ ରୋକିବା ଲାଗି ରାଜ୍ୟବାସୀଙ୍କୁ ଘରେ ରହିବା ପାଇଁ ବାରମ୍ବାର ଅନୁରୋଧ କରୁଛନ୍ତି ଠିକ ସେହି ସମୟରେ ଓଡିଶା ସରକାର ଓ ତାଙ୍କର ସରକାରୀ ବାହିନୀ ଲୋକଙ୍କୁ ଗୃହଶୂନ୍ୟ କରିବା ଲାଗି ଉଦ୍ୟମ କରୁଛନ୍ତି ତାହା ପୁଣି ବର୍ଷାକାଳରେ । ଲକଡାଉନ ସମୟରେ ମାନ୍ୟବର ମୁଖ୍ୟବିଚାରପତିଙ୍କ ନେତୃତ୍ବରେ ଓଡିଶା ହାଇକୋର୍ଟ ରାଜ୍ୟର ସମସ୍ତ ମ୍ଯୁନିସିପାଲିଟି, ବିଜ୍ଞାପିତ ଅଞ୍ଚଳ ଓ ପଞ୍ଚାୟତ ସୀମାରେ ଥିବା କୌଣସି ବ୍ୟକ୍ତିକୁ ତାହାର ଘର ବା ସମ୍ପତ୍ତିରୁ ଆସନ୍ତା ଜୁଲାଇ 15 ତାରିଖ ପର୍ଯ୍ୟନ୍ତ କୌଣସି ପ୍ରକାରରେ ଉଚ୍ଛେଦ କରାଯାଇପାରିବ ନାହିଁ ଯାହାକୁ ରାଜ୍ୟ ସରକାର ଅବମାନନା କରୁଛନ୍ତି । ନିଜେ ଓଡିଶା ସରକାର ମଧ୍ୟ ଏକ ନୀତିଗତ ନିଷ୍ପତ୍ତି ଭାବରେ ଉଲ୍ଲେଖ କରିଛନ୍ତି ଯେ ସହରୀ ଜୀବନରେ ବସ୍ତି ବାସିନ୍ଦା ଏହାର ଜୀବନରେଖା ଯାହା ଓଡିଶା ମୁନିସିପାଲିଟି ନିୟମ, ୨୦୦୩ ଓ ବସ୍ତିବାସିନ୍ଦାଙ୍କ ଜମି ଅଧିକାର ନିୟମ, ୨୦୧୭ରେ ଉଲ୍ଲେଖ ରହିଛି ।
ସମସ୍ତ ବସ୍ତି ବାସିନ୍ଦାଙ୍କର ଏହା ଗଣତାନ୍ତ୍ରିକ ଓ ବୈଧାନିକ ଅଧିକାର ରହିଛି ଯେ ସେମାନେ ଭୟଶୂନ୍ୟ ହୋଇ ନିଜ ଅଞ୍ଚଳରେ ବସବାସ କରିବେ । ତେଣୁ ଆମ୍ବେମାନେ ରାଜ୍ୟ ସରକାରଙ୍କ ନିକଟରେ ନିଜର ଦୃଢ ଇଚ୍ଛା ପ୍ରକାଶ କରୁଛୁ ଯେ ସରକାର ଏଭଳି ମାନବିକ ଅଧିକାର ଉଲ୍ଲଂଘନ ଭଳି ପଦକ୍ଷେପରୁ କ୍ଷାନ୍ତ ରହିବା ସହିତ ସହରର କୌଣସି ବି ବସ୍ତିବାସିନ୍ଦାଙ୍କୁ ସେମାନଙ୍କ ନିଜ ଘରୁ ଯାହା ସେମାନଙ୍କ ଜୀବିକାର ସ୍ଥାନ ମଧ୍ୟ ସେଥିରୁ ଉଛେଦ କରିବାରୁ କ୍ଷାନ୍ତ ରୁହନ୍ତୁ । ସେମାନେ ଅନୁରୋଧ କରିଛନ୍ତି ଯେ ରାଜ୍ୟବାସୀଙ୍କୁ ସେମାନଙ୍କ ଗୃହ ଓ ସମ୍ପତ୍ତିକୁ ଏଭଳି ଶକ୍ତି ପ୍ରୟୋଗ କରି ଭାଙ୍ଗିଦେବା ଉଦ୍ୟମ କରିବା ଅପେକ୍ଷା ବରଂ ରାଜ୍ୟ ସରକାର କୋଭିଡ – 19 ହେତୁ ନିଜର କାର୍ଯ୍ୟ ହରାଇଥିବା ସମସ୍ତ ଲୋକଙ୍କୁ ଖାଦ୍ଯଶସ୍ଯ ଓ କାର୍ଯ୍ୟ ଯୋଗାଇଦିଅନ୍ତୁ ।