ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମସି କମିଶନରଙ୍କ ସୂଚନା
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀ ଭୁବନେଶ୍ୱରରେ ଏବେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ସିରୋ ସର୍ଭେରୁ ଜଣାପଡ଼ୁଛି ଯେ ଭୁବନେଶ୍ୱର କମ୍ ପ୍ରଭାବିତ ହୋଇଛି । ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ଅଧିକରୁ ଅଧିକ ପରୀକ୍ଷା ଉପରେ ଜୋର ଦିଆଯାଉଛି । ଦିନକୁ ପ୍ରାୟ ୩ହଜାର ଟେଷ୍ଟ କରାଯାଉଛି ।
ଅନ୍ୟ ସହର ତୁଳନାରେ ଭୁବନେଶ୍ବର କମ୍ ପ୍ରଭାବିତ ରହିଛି। ଏବେ ଭୁବନେଶ୍ବରରେ ଏକ ପ୍ରକାର ପିକ୍ରେ ରହିଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆମକୁ ଅତି କମ୍ରେ ଆଉ ମାସଟିଏ ସୁରକ୍ଷିତ ରଖିବାକୁ ପଡ଼ିବ। ବର୍ତ୍ତମାନ ବହୁ ଗୁରୁତ୍ବପୂର୍ଣ୍ଣ ସମୟ, ସମସ୍ତଙ୍କୁ ନିୟମ ମାନିବାକୁ ଅନୁରୋଧ। ଭୁବନେଶ୍ବର ମହାନଗର ଅଞ୍ଚଳରେ ୪୦% ବେଡ୍ ଖାଲି ପଡ଼ିଛି। ଚିକିତ୍ସା ସୁବିଧା ଦେଖିଲେ ଆମେ ଭଲ ସ୍ଥିତିରେ ରହିଛୁ। ଏବେ ଭୁବନେଶ୍ବରରେ ୨୬୮୧ ଆକ୍ଟିଭ୍ କେସ୍ ରହିଛି। ଭୁବନେଶ୍ବରରେ ଅଗଷ୍ଟ ୩୧ ସୁଦ୍ଧା ଆକ୍ଟିଭ୍ କେସ୍ ୩ ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଇବାକୁ ଥିବାବେଳେ ସେପ୍ଟେମ୍ବର ୧୫ ବେଳକୁ ଏହା ୫ହଜାର ଟପିଥିବ ବୋଲି ଭୁବନେଶ୍ବରରେ କରୋନା ସ୍ଥିତି ନେଇ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) କମିଶନର ପ୍ରେମ୍ଚାନ୍ଦ ଚୌଧୁରୀ ସୂଚନା ଦେଇଛନ୍ତି।