‘ବଦନାମ ହେଲି ତୋରି ପାଇଁ’…

Bhubaneswar: ସତରେ କିଏ ବଦନାମ ହେଲା ?, କାହା ପାଇଁ ବଦନାମ ହେଲା ?, କାହିଁକି ବଦନାମ ହେଲା ?, କଣ ଆବଶ୍ୟକତା ଥିଲା ବଦନାମ ହେବାର ?
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜେ, ନିଜ ପାଇଁ ନା, ତାମିଲନାଡୁ ରାଜ୍ୟରାଳ ଆର. ଏନ୍. ରବିଙ୍କ ପାଇଁ ହେଲେ ବଦନାମ !
ତାମିଲନାଡୁ ରାଜ୍ୟପାଳ ଆର୍. ଏନ୍. ରବି ତାଙ୍କ ନିଜ ପାଇଁ ନା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ହେଲେ ବଦନାମ ! ନା, ଉଭୟ ରାଜ୍ୟପାଳ ଓ ରାଷ୍ଟ୍ରପତି ବଦନାମ ହୋଇଛନ୍ତି ଅନ୍ୟ କାହା ପାଇଁ ?
କାହିଁକି, ଭାରତ ଇତିହାସରେ ପ୍ରଥମ ଥର ପାଇଁ ଗୋଟେ ରାଜ୍ୟର ବିଧାନସଭାରେ ପାରିତ ବିଲକୁ, ଦୀର୍ଘ ୫ ବର୍ଷ ପରେ, ସୁପ୍ରିମକୋର୍ଟ ଆଇନରେ ପରିଣତ କରିଦେଲେ ?
କାହିଁକି ଦରକାର ପଡ଼ିଲା ନାହିଁ, ରାଜ୍ୟପାଳଙ୍କ ଅନୁମୋଦନ ବା ମଞ୍ଜୁରୀ !
ଏମିତି କେମିତି ଏବଂ କାହିଁକି ହେଲା ?
କାହିଁକି, ତାମିଲନାଡୁର ଏହି ପ୍ରସଙ୍ଗ ଉପରେ ଚୂଡ଼ାନ୍ତ ରାୟ ଶୁଣାଇବା ବେଳେ (ଗତ ୮ ତାରିଖରେ), ସୁପ୍ରିମକୋର୍ଟ, ତାମିଲନାଡୁ ରାଜ୍ୟପାଳଙ୍କୁ ଏମିତି ଭର୍ତ୍ସନା କଲେ ?
କାହିଁକି, ଦେଶର ସର୍ବୋଚ୍ଚ କୋର୍ଟ ଏମିତି କହିବାକୁ ପଛାଇ ନଥିଲେ ଯେ, ଅଣ-ବିଜେପି ଶାସିତ ରାଜ୍ୟର ରାଜ୍ୟପାଳମାନେ, ସାମ୍ବିଧାନିକ ବିଧିବ୍ୟବସ୍ଥାର ଘୋର ଉଲ୍ଲଂଘନ କରୁଛନ୍ତି ବୋଲି !
ରାଜ୍ୟପାଳ ଆର. ଏନ. ରବିଙ୍କ କ୍ଷେତ୍ରରେ ତ ଏହା କିଛି ନୂଆ ନୁହେଁ ! ତାମିଲନାଡୁର ଏମ୍. କେ. ଷ୍ଟାଲିନ୍ ସରକାରଙ୍କ ଆବେଦନ ଉପରେ ଶୁଣାଣି କରି, ରାଜ୍ୟପାଳ ଆର୍. ଏନ୍. ରବିଙ୍କୁ ସାମ୍ବିଧାନିକ ବିଧିବ୍ୟବସ୍ଥା ମଧ୍ୟରେ ରହି କାମ କରିବାକୁ ଏକାଧିକ ଥର ତଗିଦ କରିଛନ୍ତି ସୁପ୍ରିମକୋର୍ଟ ।
ରାଜ୍ୟ ବିଧାନସଭାରେ ପାରିତ ବିଲ୍ ଯଦି, ରାଜ୍ୟପାଳଙ୍କ ସନ୍ତୋଷଜନକ ନହୁଏ, ତେବେ ସେ ତାକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇପାରିବେ ।
ଯଦି, ରାଜ୍ୟପାଳ ଆର୍. ଏନ୍. ରବି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ସେସବୁ ବିଲ୍ ପଠାଇ ସାରିଥାନ୍ତି, ତେବେ, ରାଷ୍ଟ୍ରପତି ତାଙ୍କ ନିଷ୍ପତ୍ତିରେ ବିଳମ୍ବ କଲେ କାହିଁକି ?
କାହିଁକି ଏଯାଏ ନିଷ୍ପତ୍ତି ଶୁଣାଇଲେ ନାହିଁ !
କଣ, ଖାସ୍ ସେଇଥି ପାଇଁ ବୋଧେ, ଭାରତ ଇତିହାସରେ ପ୍ରଥମ ଥର ପାଇଁ, ଦେଶର ସର୍ବୋଚ୍ଚ କୋର୍ଟ, ଦେଶର ପ୍ରଥମ ନାଗରିକଙ୍କ ପାଇଁ ସମୟ ସୀମା ଧାର୍ଯ୍ୟ କରିଦେଲେ !
‘ବିଲ୍ ସଂକ୍ରାନ୍ତ ଖବର, ରାଜଭବନରୁ ଯାଇ ଯେଉଁ ଦିନ ରାଷ୍ଟ୍ରପତି ଭବନରେ ପହଞ୍ଚିବ, ସେହି ଦିନଠାରୁ ୩ ମାସ ମଧ୍ୟରେ ରାଷ୍ଟ୍ରପତିଙ୍କୁ, ସେହି ନିର୍ଦ୍ଦିଷ୍ଟ ବିଲ୍ ଉପରେ କିଛି ନା କିଛି ନିଷ୍ପତ୍ତି ନେବାକୁ ପଡ଼ିବ ହିଁ ପଡ଼ିବ’…
(ବିଲ୍ ସଂକ୍ରାନ୍ତ- ପଞ୍ଜାବର ଭଗୱନ୍ତ ସିଂହ ମାନ୍ ସରକାର ବନାମ ରାଜ୍ୟପାଳ ବନହରିଲାଲ ପୁରୋହିତଙ୍କ ମାମଲାରେ ୨୦୨୩ ନଭେମ୍ବରରେ ସୁପ୍ରିମକୋର୍ଟ ଦେଇଥିବା ରାୟ ସର୍ବସମ୍ମୁଖରେ ରେକର୍ଡରେ ଥୁଆ ହୋଇଛି । ସେହି ରାୟକୁ ଅନୁଧ୍ୟାନ କରିବାକୁ କେରଳର ପୂର୍ବତନ ରାଜ୍ୟପାଳ ମହମ୍ମଦ ଆରିଫ୍ ଖାନଙ୍କୁ ମଧ୍ୟ ସର୍ବୋଚ୍ଚ କୋର୍ଟ ଅତୀତରେ କହିଛନ୍ତି)
(ବନହରିଲାଲ ପୁରୋହିତ ଏବେ ପଞ୍ଜାବର ରାଜ୍ୟପାଳ ନାହାନ୍ତି । ସେହିପରି ମହମ୍ମଦ ଆରିଫ୍ ଖାନ୍ ଏବେ କେରଳ ବଦଳରେ ବିହାରର ରାଜ୍ୟପାଳ ଅଛନ୍ତି)
(ମୂଳ ଶିବସେନାରୁ ବିଦ୍ରୋହ କରି ଏକନାଥ ସିନ୍ଦେ ଗୋଷ୍ଠୀ, ଯେତେବେଳେ ଉଦ୍ଧବ ଗୋଷ୍ଠୀଠାରୁ ଅଲଗା ହୋଇଗଲେ, ସେତେବେଳେ ମହାରାଷ୍ଟ୍ରର ରାଜ୍ୟପାଳ ଥିଲେ ଭଗତ ସିଂହ କୋସିୟାରୀ । ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ ସେ । ମହାରାଷ୍ଟ୍ରର ସେତେବେଳର ରାଜ୍ୟପାଳଙ୍କ ଏହି ନିଷ୍ପତ୍ତି ସାମ୍ବିଧାନିକ ବିଧିବ୍ୟବସ୍ଥାର ଖୋଲା ଉଲ୍ଲଂଘନ ଥିଲା ବୋଲି ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ତାଙ୍କ ରାୟରେ ଶୁଣାଇ ସାରିଛନ୍ତି । ସେତେବେଳର ସିନ୍ଦେ ସରକାରକୁ ବେଆଇନ ଏବଂ ଅସାମ୍ବିଧାନିକ ବୋଲି କହିଛନ୍ତି କୋର୍ଟ । ଆଉ ସେହି ରାୟ ପରେ ଭଗତ ସିଂହ କୋସିୟାରୀ ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି । )
ସତରେ… ଏ ଦେଶରେ ଚାଲିଛି କଣ !!!

Leave a Reply

Your email address will not be published. Required fields are marked *