ଚାଷୀ ସମସ୍ୟା ନେଇ ରାଜ୍ୟବ୍ୟାପୀ ବିଜେପିର ଆନ୍ଦୋଳନ, ୨ ଦିନ ମଣ୍ଡି ଓ ସିଏସଓ ଅଫିସ ଘେରାଓ
ଭୁବନେଶ୍ବର, (ଓଡିଶା ଟାଇମ୍): ଚାଷୀ ସମସ୍ୟାକୁ ନେଇ ରାଜ୍ୟବ୍ୟାପୀ ବିଜେପିର ଆନ୍ଦୋଳନ । ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ବିଭିନ୍ନ ମଣ୍ଡି ଓ ସିଏସଓ ଅଫିସ ଘେରାଓ କରୁଛି ବିଜେପି । ରାଜ୍ୟ ସରକାର ଚାଷୀଙ୍କ ସମସ୍ୟା ପ୍ରତି ଅବହେଳା କରୁଥିବା ଅଭିଯୋଗରେ ବିଜେପି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛି ଦଳ । ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଜାରି ରହିଛି । ସମବାୟ ବିଭାଗ ଓ ଯୋଗାଣ ବିଭାଗ ସମସ୍ୟାର ସମାଧାନ କରୁନାହାନ୍ତି । ସାରଠାରୁ କୀଟନାଶକ ପର୍ଯ୍ୟନ୍ତ କିଛି ଚାଷୀ ପାଖରେ ପହଞ୍ଚୁନାହିଁ । ଟୋକନ ବ୍ୟବସ୍ଥାକୁ ନେଇ ଅନେକ ଅଭିଯୋଗ ଆସୁଛି । ପ୍ରତିବର୍ଷ ଫସଲର ସହାୟକ ମୂଲ୍ୟ ବଢୁଛି । କିନ୍ତୁ ଚାଷୀ ପାଇପାରୁନି ।
ଚାଷୀ ସମସ୍ୟାକୁ ନେଇ ସମ୍ବଲପୁରରେ ରାସ୍ତାକୁ ଓହ୍ଲାଇଲା ବିଜେପି । ସମ୍ବଲପୁର ଜିଲ୍ଲା ବିଜେପି ଗୁରୁବାର ଅଇଁଠାପାଲି ଛକ ନିକଟରେ ରାସ୍ତା ଅବରୋଧ କରିଛି । ଦିନ ୧୦ଟାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ । ଧାନର ଅଭାବୀ ବିକ୍ରିକୁ ଦୃଷ୍ଟିରେ ରଖି ଏହାର ସମାଧାନ ପାଇଁ ଜିଲ୍ଲା ବିଜେପି ଏହି ୨ ଘଣ୍ଟିଆ ଆନ୍ଦୋଳନକୁ ଓହ୍ଲାଇଛି । ଫଳରେ ଅଇଁଠାପାଲି ଜାତୀୟ ରାଜପଥରେ ଗାଡିମଟର ଅଟକି ରହିଛି ।