ଲାକ୍ଷାଦ୍ୱୀପରେ ବିଜେପିକୁ ବଡ ଝଟ୍କା, ଏକାଥରେ ୧୫ ନେତା ଦେଲେ ଇସ୍ତଫା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବିଜେପି ପାଇଁ ବଢୁଛି ଅଡୁଆ । ଫିଲ୍ମ ନିର୍ମାତା ଆୟଶା ସୁଲତାନାଙ୍କ ବିରୋଧରେ ରାଜଦ୍ରୋହ କେସ୍ ରୁଜୁ ହେବା ପରେ ବିଜେପିର ଅନେକ ନେତାଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଲାକ୍ଷାଦ୍ୱୀପରେ ୧୫ ବିଜେପି ନେତା ଆୟଶାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ହେବା ପରେ ଦଳରୁ ଇସ୍ତଫା ଦେଇଛନ୍ତି । ଲାକ୍ଷାଦ୍ୱୀପ ବିଜେପି ସଭାପତି ସି ଅବ୍ଦୁଲ ଖାଦର ହାଜୀଙ୍କ ଅଭିଯୋଗ ପରେ ଆୟଶାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଲାଗିଥିଲା ।
ବିଜେପି ରାଜ୍ୟ ସମ୍ପାଦକ ଅବ୍ଦୁଲ ହମିଦ କହିଛନ୍ତି ଯେ, ଚେତଲାଥର ଭଉଣୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଲାଗିଛି । ଏହା ମିଛ ମାମଲା ଅଟେ । ଏହାକୁ ସେ ବିରୋଧ କରିବା ସହ ଦଳରୁ ଇସ୍ତଫା ପ୍ରଦାନ କରୁଥିବା କହିଛନ୍ତି । ଲାକ୍ଷାଦ୍ୱୀପର ପ୍ରଥମ ମହିଳା ଫିଲ୍ମନିର୍ମାତା ଆୟଶାଙ୍କ ବିରୋଧରେ କାବାରସ୍ତି ପୋଲିସ ଦେଶଦ୍ରୋହ ମାମଲା ରୁଜୁ କରିଥିଲା । କାରଣ ଆୟଶା ଲାକ୍ଷାଦ୍ୱୀପ ପ୍ରଶାସକ ପ୍ରଫୁଲ୍ଲ ପଟେଲ ଓ କରୋନ ମାମଲା ବଢୁଥିବା ନେଇ ସମାଲୋଚନା କରିଥିଲେ ।
ଦଳର ୧୨ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଦସ୍ତଖତ ଥିବା ଏକ ଚିଠି ଅବ୍ଦୁଲ ଖାଦର ହାଜୀଙ୍କୁ ପଠାଯାଇଛି । ଏହି ଚିଠିରେ କୁହାଯାଇଛି ଯେ, ଲାକ୍ଷାଦ୍ୱୀପର ଉପ ରାଜ୍ୟପାଳଙ୍କ କାର୍ଯ୍ୟକ୍ରମ ଜନବିରୋଧୀ ଅଟେ । ଏହାସହ ଗଣତନ୍ତ୍ରର ବିରୋଧୀ ମଧ୍ୟ । ଯାହାକୁ ନେଇ ସାଧାରଣ ଲୋକେ ଅସନ୍ତୁଷ୍ଟ ଅଛନ୍ତି । ଦଳରୁ ଇସ୍ତଫା ଦେଇଥିବା ନେତାଙ୍କ ମଧ୍ୟରେ ଅବ୍ଦୁଲ ହମିଦ, ମୁଲ୍ଲୀପୁରା, ଓ୍ୱାକଫ୍ ବୋର୍ଡ ସଦସ୍ୟ ଉମୁଲ୍ କୁଲୁସ, ଖାଦୀ ବୋର୍ଡର ସଦସ୍ୟ ସୈଫୁଲା ପାକ୍କିୟୋଡା ଆଦି ସାମିଲ ଅଛନ୍ତି ।
ଏହିନେତାମାନେ ଆୟଶାଙ୍କ ସମର୍ଥନରେ ଲେଖିଛନ୍ତି ଯେ, ଅନ୍ୟମାନଙ୍କ ଭଳି ଆୟଶା ମଧ୍ୟ ଗଣମାଧ୍ୟମରେ ନିଜ ମତ ରଖିଥିଲେ । ପୋଲିସ ବିଜେପି ସଭାପତିଙ୍କ ଅଭିଯୋଗ ଆଧାରରେ ଆୟଶାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏପରି ମିଛ ଅଭିଯୋଗକୁ ସମସ୍ତେ ବିରୋଧ କରିଛନ୍ତି । ମିଥ୍ୟା ଅଭିଯୋଗ ଦ୍ୱାରା ଆୟଶାଙ୍କ ପରିବାର ଓ କ୍ୟାରିଅରର ଭବିଷ୍ୟତ ଅନ୍ଧାରକୁ ଚାଲିଯାଇଛି ।











