‘୪୦ବର୍ଷ ପର୍ଯ୍ୟନ୍ତ ବିଜେପି ଶକ୍ତିଶାଳୀ ହେବ, ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଶକ୍ତି ଅନୁମାନ କରିବାରେ ଅସମର୍ଥ’: ପ୍ରଶାନ୍ତ କିଶୋର

“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଲୋକମାନେ ରାଗିଛନ୍ତି ଏବଂ ତାଙ୍କୁ କ୍ଷମତାରୁ ବାହାର କରିଦେବେ ବୋଲି ଭ୍ରମରେ ପଡ଼ନ୍ତୁ ନାହିଁ । ଲୋକମାନେ ହୁଏତ ମୋଦୀଙ୍କୁ କ୍ଷମତାରୁ ହଟାଇ ପାରନ୍ତି, କିନ୍ତୁ ବିଜେପି ବର୍ତ୍ତମାନ କୌଣସ କ୍ଷମତା ରାଜନୀତିରୁ ହଟୁନାହିଁ ।”   

କିଛିମାସ ପୂର୍ବେ ପଶ୍ଚିମବଙ୍ଗରେ ଟିଏମସିପାଇଁ ସଫଳ ନିର୍ବାଚନ ରଣନୀତି ସହିତ ବିଜେପିର କ୍ଷମତା ହାସଲ ସ୍ୱପ୍ନକୁ ଭାଙ୍ଗି ଦେଇଥିବା ଜଣାଶୁଣା ବୃତ୍ତିଗତ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପି.କେ) ବର୍ତ୍ତମାନ ଯାହା କହିଛନ୍ତି ତାହା ବିଜେପିର କାନକୁ ମହୁଠାରୁ ଅଧିକ ମିଠା ଲାଗିବ । ଗୋଆରେ ଏକ ଇଭେଣ୍ଟରେ ପି.କେ କହିଛନ୍ତି ଯେ ‘ଅନେକ ଦଶନ୍ଧି ଧରି ବିଜେପି କୌଣସି କ୍ଷମତା ରାଜନୀତିରୁ ହଟୁନାହିଁ ଏବଂ ରାହୁଲ ଗାନ୍ଧୀଙ୍କ ସମସ୍ୟା ହେଉଛି ଯେ ସେ ଏହା ବୁଝନ୍ତି ନାହିଁ ।

କିଛିଦିନ ପୂର୍ବରୁ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବା ନେଇ ଆଲୋଚନା ହୋଇଥିଲା । କଂଗ୍ରେସରେ କହ୍ନେୟା କୁମାରଙ୍କ ଏବଂ ଜିଗ୍ନେଶ ମେଭାନୀ ଦଳରେ ଯୋଗଦେବା ପଛରେ ମଧ୍ୟ ପି.କେ ରହିଥିବାର ବିଶ୍ୱାସ କରାଯାଉଥିଲା । କିନ୍ତୁ ତାଙ୍କର ସଦ୍ୟତମ ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ କଂଗ୍ରେସରେ ତାଙ୍କର ସମ୍ଭାବ୍ୟ ପ୍ରବେଶ ବିପଦରେ ।

ଏକ ପ୍ରଶ୍ନ-ଉତ୍ତର ଅଧିବେଶନରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ ବିଜେପି ଭାରତୀୟ ରାଜନୀତିର କେନ୍ଦ୍ର ହେବାକୁ ଯାଉଛି … ଏହା ଜିତିପାରେ କିମ୍ବା ହାରିପାରେ, କିନ୍ତୁ ସ୍ୱାଧୀନତା ପରେ କଂଗ୍ରେସ ପ୍ରଥମ ୪୦ ବର୍ଷ ଧରି ଯେପରି ଥିଲା ବିଜେପି ସେହିପରି ରହିବ । ବିଜେପି କ୍ଷମତା ରାଜନୀତିରୁ ହଟୁନାହିଁ । ଥରେ କୌଣସି ରାଜନୈତିକ ଦଳ ଜାତୀୟ ସ୍ତରରେ ୩୦ ପ୍ରତିଶତ + ଭୋଟ୍ ପାଇଲେ, ଏତେ ଦ୍ରୁତ ଗତିରେ କ୍ଷମତା ହରାନ୍ତି ନାହିଁ ।

ପ୍ରଶାନ୍ତ କିଶୋର ଆହୁରି କହିଛନ୍ତି, ‘ତେଣୁ କଦାପି ଭାବିବା ଉଚିତ ନୁହେଁ ଯେ ଲୋକମାନେ କ୍ରୋଧିତ ହେଉଛନ୍ତି ଏବଂ ସେମାନେ ମୋଦୀଙ୍କୁ ପରାସ୍ତ କରିବେ । ସେମାନେ ମୋଦୀଙ୍କୁ ହଟାଇ ପାରନ୍ତି କିନ୍ତୁ ବିଜେପି କ୍ଷମତା ରାଜନୀତିରୁ ହଟୁନାହିଁ । ଏହା ଏହିପରି ରହିବ… ଆଗାମୀ ଅନେକ ଦଶନ୍ଧି ଧରି…।’  

ପ୍ରଶାନ୍ତ କିଶୋର ଯାହା କହିଛନ୍ତି ସେଥିରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ବର୍ତ୍ତମାନ କଂଗ୍ରେସ ଯାଉନାହାଁନ୍ତି । ସେ କହିଛନ୍ତି, ‘ବାସ୍ତବରେ ଏହି ସମସ୍ୟା ବୋଧହୁଏ ରାହୁଲ ଗାନ୍ଧୀଙ୍କ ସହ ରହିଛି । ରାହୁଲ ଗାନ୍ଧୀ ଭାବନ୍ତି ଯେ ଏହା କେବଳ କିଛି ସମୟର ସମସ୍ୟା, ଲୋକମାନେ ତାଙ୍କୁ (ନରେନ୍ଦ୍ର ମୋଦୀ) ଉଚ୍ଛେଦ କରିବେ । ତାହା ହେବ ନାହିଁ । ଯେପର୍ଯ୍ୟନ୍ତ ତାଙ୍କ (ପିଏମ ମୋଦୀଙ୍କ) ଶକ୍ତି ବୁଝବେ ନାହିଁ, ତାଙ୍କୁ ପ୍ରତିରୋଧ କରିପାରିବେ ନାହିଁ, ତାଙ୍କୁ କଦାପି ପରାସ୍ତ କରିପାରିବେ ନାହିଁ ।’

ଛଅଦିନ ପୂର୍ବରୁ ପ୍ରଶାନ୍ତ କିଶୋର କହିଥିଲେ ଯେ କଂଗ୍ରେସ ଭିତରେ ସମସ୍ୟା ଗଭୀର ଥିଲା ଏବଂ ଲକ୍ଷ୍ମୀପୁର ଖେରୀ ଘଟଣା ଦଳକୁ ପୁନର୍ଜୀବିତ କରିବ ନାହିଁ ।  ପ୍ରଶାନ୍ତ କିଶୋର ଜଣେ ଜଣାଶୁଣା ନିର୍ବାଚନ ରଣନୀତିଜ୍ଞ । ୨୦୧୪ ଲୋକସଭା ନିର୍ବାଚନରେ ​​ବିଜେପିର ପୁନର୍ବାର ବିଜୟପାଇଁ ତାଙ୍କର ରଣନୀତି ମଧ୍ୟ ସମ୍ମାନିତ ହୋଇଛି । ତେବେ ପରେ ସେ ବିଜେପି ସହ ମତଭେଦ ଯୋଗୁଁ ପରବର୍ତ୍ତୀ ବର୍ଷ ୨୦୧୫ରେ, ସେ ବିହାରରେ ଜେଡିୟୁ-ଆରଜେଡି-କଂଗ୍ରେସ ମିଳିତ ମଞ୍ଚରେ କାର୍ଯ୍ୟ କରିଥିଲେ ଏବଂ ଏହି ମହାସଂଘ ନିର୍ବାଚନରେ ବିଜୟ ହାସଲ କରିଥିଲା । ତେବେ ପରେ ଜେଡିୟୁ ମହାସଂଘ ଛାଡ଼ି ବିଜେପି ନିକଟକୁ ଫେରି ଆସିଥିଲା । ନିକଟରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଟିଏମସି ଏବଂ ତାମିଲନାଡ଼ୁର ଏମ.କେ ଷ୍ଟାଲିନଙ୍କ ନେତୃତ୍ୱରେ ଡିଏମକେର ବୃହତ ବିଜୟ ପଛରେ ତାଙ୍କ ରଣନୀତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥିଲା ।

Leave a Reply

Your email address will not be published.