ବିଜେପିର ୮ ଘଣ୍ଟିଆ ବରଗଡ ବନ୍ଦ ପାଳନ

ବରଗଡ଼, (ଓଡିଶା ଟାଇମ୍): ବରଗଡ଼ ତୋରା ଗ୍ରାମର ଗୋବିନ୍ଦ କୁମ୍ଭାର ଓ  ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡକୁ ନେଇ ତାତି ଥମୁନି । ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ସୋମବାର ବରଗଡ଼ରେ ଆଠ ଘଣ୍ଟିଆ ବନ୍ଦ ପାଳନ କରୁଛି ବିଜେପି ।

ସୂଚନାନୁସାରେ, ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କ ବରଗଡ଼ ଟାଉନ ଥାନାରେ ପୋଲିସ ହେପାଜତରେ ମୃତ୍ୟୁ ହୋଇଥିଲା ।  ଘଟଣାର ଅଭିଯୁକ୍ତ ପୋଲିସ କର୍ମଚାରୀମାନଙ୍କୁ ତୁରନ୍ତ ଗିରଫ ଓ ଗୋବିନ୍ଦ କୁମ୍ଭାରଙ୍କ ବିଧବା ପତ୍ନୀଙ୍କୁ ସରକାରୀ ଚାକିରୀ ପ୍ରଦାନ ପାଇଁ ବିଜେପି ଦାବି କରିଛି ।  ଆହୁରି ମଧ୍ୟ ଗୋବିନ୍ଦ କୁମ୍ଭାରଙ୍କ ପରିବାରକୁ ଆଇନ ଅନୁଯାୟୀ ଆର୍ଥିକ କ୍ଷତିପୂରଣ ପ୍ରଦାନ ଏବଂ ବଲାଙ୍ଗୀର ଜିଲ୍ଲାର  ମମିତା ମେହେର ହତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ଦାବି କରାଯାଇଛି । ସେହିପରି ହତ୍ୟାକାଣ୍ଡର ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ଓଡିଶା ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଭାରତୀୟ ଜନତା ପାର୍ଟି ତରଫରୁ ବନ୍ଦ ଡାକରା ଦିଆଯାଇଛି ।  ସୋମବାର ଦିନ  ୬ ଘଣ୍ଟାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ବରଗଡ ଜିଲ୍ଲାର ସମସ୍ତ ଦୋକାନ ବଜାର ବନ୍ଦ ରହିବ।

ଦଳୀୟ କର୍ମୀମାନେ ସହରରେ ପିକେଟିଂ କରିବା ସହ ବିଭିନ୍ନ ଛକମାନଙ୍କରେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି  । ସହରରେ ଦୋକାନ ବଜାର ସହ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ସେହିପରି ଜରୁରୀକାଳୀନ ସେବା ଭାବେ ଆମ୍ବୁଲାନ୍ସକୁ ଛାଡି ଦେଲେ ସମସ୍ତ ଯାନ ବାହାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଯାହା ଫଳରେ ଜାତୀୟ ରାଜପଥର ଉଭୟ ପଟରେ ବହୁ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *