ସେବା ଓ ସମର୍ପଣ ଦିଗରେ ରାଜ୍ୟ କାର୍ଯ୍ୟକାରିଣୀର ଭୂମିକା ଉଲ୍ଲେଖନୀୟ: ବୈଜୟନ୍ତ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କର୍ମୀ ଓ ଦଳୀୟ ନେତାଙ୍କ ସେବା ଓ ସମର୍ପଣ ଦିଗରେ ରାଜ୍ୟ କାର୍ଯ୍ୟକାରିଣୀ ମାର୍ଗଦର୍ଶନ କରାଇଥାଏ। ଏହାବାଦ୍ ଦଳର ବିଶିଷ୍ଟ ନେତୃତ୍ଵଙ୍କ ଦୃଷ୍ଟିଭଙ୍ଗୀ ଏବଂଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାର ମାଧ୍ୟମ ପାଲଟିଥାଏ ବୋଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା କହିଛନ୍ତି।
ବୁଧବାର ଗୌହାଟୀଠାରେ ଆୟୋଜିତ ଆସାମ ବିଜେପିର ଦୁଇଦିନିଆ ବିଶାଳ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ପାଇଁ ସେ ୩ ଦିନିଆ ଆସାମଗସ୍ତରେ ଅଛନ୍ତି। ଏହି ଅବସରରେ କାର୍ଯ୍ୟକାରିଣୀଙ୍କୁ ଉଦବୋଧନ ସେ କହିଛନ୍ତି, କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ପାଇଁ ଏକ ନୂତନ ପ୍ରାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ସାହା, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷଙ୍କ ମାର୍ଗଦର୍ଶନ ଓ ଆଶୀର୍ବାଦ ନେଇ ଏହି କାର୍ଯ୍ୟକାରିଣୀ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ତଥା ଦଳର ବିଭିନ୍ନ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇଆସୁଛି।
ଦୁଇଦିନବ୍ୟାପୀ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ, କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା, ରାଷ୍ଟ୍ରମନ୍ତ୍ରୀ ରାମେଶ୍ଵର ତେଲୀ, ଆସାମ ବିଜେପି ସଭାପତି ଭାବେଶ କାଲିଟା, ସହପ୍ରଭାରୀ ପବନ ଶର୍ମା, ସଂଗଠନ ମହାମନ୍ତ୍ରୀ ଫଣୀନ୍ଦ୍ରନାଥ ଶର୍ମା, ଉତ୍ତର-ପୂର୍ବାଞ୍ଚଳ ସଂଗଠନ ମହାମନ୍ତ୍ରୀ ଅଜୟ ଜମୱାଲ ପ୍ରମୁଖ ଉପସ୍ଥିତ ଥିଲେ।
ଏହା ପୂର୍ବରୁ ମଙ୍ଗଳବାର ଶ୍ରୀ ପଣ୍ଡା ଗୌହାଟୀରେ ପହଞ୍ଚିବା ପରେ ଦେଶବ୍ୟାପୀ ଚାଲିଥିବା ସେବା ଓ ସମର୍ପଣ ଅଭିଯାନ ଅନ୍ତର୍ଗତ ସ୍ଥାନୀୟ ଅମ୍ବିକାଗିରି ମେମୋରିଆଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ “ଆମର ଘର” ବୃଦ୍ଧାଶ୍ରମ ଯାଇ ଫଳ ବଣ୍ଟନ ଭଳି ସେବା କାର୍ଯ୍ୟ କରିଥିଲେ। ବରିଷ୍ଠ ନାଗରିକଙ୍କ ଭଳି ଜୀବନ୍ତ ଦେବତାଙ୍କ ଆଶୀର୍ବାଦଠାରୁ ମୂଲ୍ୟବାନ ଆଉ କିଛି ନୁହେଁ ବୋଲି ଶ୍ରୀ ପଣ୍ଡା ଏହି ଅବସରରେ କହିଥିଲେ। ସେହିପରି ଏହି ଅଭିଯାନ ଅଧୀନରେ ସେ ଚାରା ରୋପଣ ମଧ୍ୟ କରିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ଜୀବନରୁ ପ୍ରେରଣା ନେଇ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମସ୍ତେ ସାମିଲ ହେବାକୁ ଅନୁରୋଧ କରିଥିଲେ।