ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ବିଜେଡ଼ି ସାଂସଦ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି ବିଜେଡ଼ି ସାଂସଦ । ଉପାଧ୍ୟକ୍ଷ ଭାବେ ଗୃହକାର୍ଯ୍ୟ ତୁଲାଇଛନ୍ତି ସାଂସଦ ସସ୍ମିତ ପାତ୍ର । ଦକ୍ଷତା ଓ ସାଧୁତାର ସହ ଗୃହ ପରିଚାଳନା ପାଇଁ ସସ୍ମିତଙ୍କୁ ପ୍ରଶଂସା ମଧ୍ୟ କରାଯାଇଛି ।
ଦୀର୍ଘ ୨୦ ବର୍ଷ ପରେ ଜଣେ ଓଡ଼ିଆ ସାଂସଦ ରାଜ୍ୟସଭାରେ ଅଧ୍ୟକ୍ଷତା କରିଛନ୍ତି । ବିଜୁ ଜନତା ଦଳର ସାଂସଦ ଡକ୍ଟର ସସ୍ମିତ ପାତ୍ର ଶନିବାର ରାଜ୍ୟସଭାରେ ଅଧ୍ୟକ୍ଷତା କରି ଗୃହ କାର୍ଯ୍ୟ ପରିଚାଳନା କରିଛନ୍ତି। ମହାମାରୀ (ସଂଶୋଧନ) ଅଧ୍ୟାଦେଶ, ୨୦୨୦ ବିଲ୍ ଉପରେ ଆଲୋଚନା ସମୟରେ ଓଡ଼ିଆ ସାଂସଦ ରାଜ୍ୟସଭାରେ ଅଧ୍ୟକ୍ଷତା କରି ଗୃହ ପରିଚାଳନା କରିଥିଲେ। ସେ ଆସନ ଗ୍ରହଣ କରିବା ସମୟରେ ସାଂସଦମାନେ ଡକ୍ଟର ପାତ୍ରଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଆଜିର ଅଧିବେଶନ ଶେଷ ହେବା ପରେ ଅନେକ ରାଜ୍ୟସଭା ସାଂସଦ ଡକ୍ଟର ପାତ୍ରଙ୍କୁ ସେମାନଙ୍କର ଶୁଭେଚ୍ଛା ଜଣାଇଥିଲେ। ଗୃହର ସର୍ବ କନିଷ୍ଠ ସାଂସଦ ହୋଇଥିଲେ ମଧ୍ୟ ଭଦ୍ର ଆଚରଣ ଏବଂ ଧୈର୍ଯ୍ୟର ସହିତ ସେ ଗୃହ ପରିଚାଳନା କରିଥିଲେ ବୋଲି ସେମାନେ କହିଥିଲେ।
ଡକ୍ଟର ସସ୍ମିତ ପାତ୍ର ଏହି ମହତ୍ବପୂର୍ଣ୍ଣ କାର୍ଯ୍ୟକୁ ତାଙ୍କ ନେତା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉତ୍ସର୍ଗ କରିଛନ୍ତି। ନବୀନ ପଟ୍ଟନାୟକ ଏବଂ ଓଡିଶାର ୪.୫ କୋଟି ଲୋକ, ଯାହାଙ୍କ ବିନା ରାଜ୍ୟସଭାକୁ ଏହି ଯାତ୍ରା ତଥା ପ୍ରଥମ ଥରରେ ରାଜ୍ୟସଭାରେ ଅଧ୍ୟକ୍ଷତା କରିବା ସମ୍ଭବ ହୋଇନଥାନ୍ତା ବୋଲି ସେ କହିଛନ୍ତି ।