ବିଜେଡିକୁ ଭୁତ ଦେଇଛି ଅଢ଼େଇ ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜନୀତିକ ଦଳମାନେ ଟଙ୍କା କେଉଁଠୁ ଆଣନ୍ତି? କିଏ ଦିଏ? ଏଭଳି ପ୍ରଶ୍ନ ପଚାରୁଥିବା ଲୋକଙ୍କୁ ବୋକା ବୋଲି କୁହାଯାଇପାରେ କିନ୍ତୁ ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଉଠେ। ଆଉ ତାହାର ଉତ୍ତର ପାଇବା ପାଇଁ ନିର୍ବାଚନ କମିଶନ ବି ବ୍ୟବସ୍ଥା କରିଛନ୍ତି । କିନ୍ତୁ କିଛି ଗଳାବାଟ ବି ରାଜନୀତିକ ଦଳମାନଙ୍କୁ ଉନ୍ମୁକ୍ତ କରିଛନ୍ତି। ଫଳରେ ରାଜନୀତିକ ଦଳମାନଙ୍କ ପାଇଁ ଏକ ଭୁତ ଦୁଆର ଖୋଲିଛି। ପୁଣି ଏହି ଦୁଆର ବାଟେ ଏମିତି ଆୟ ହେଉଛି ଯାହା ଅନ୍ୟ ସବୁ ଆୟଠୁ ବଢ଼ି ଯାଉଛି। ଦେଶର ୫୨ଟି ଆଞ୍ଚଳିକ ରାଜନୀତିକ ଦଳ ଭିତରୁ ବିଜେଡି ଏହି ଦୁଆର ବାଟେ ସବୁଠାରୁ ଅଧିକ ଆୟ କରିଛି।
ନିର୍ବାଚନ କମିଶନଙ୍କୁ ରାଜନୀତିକ ଦଳମାନେ ଦେଇଥିବା ବିବରଣୀରୁ ଏହା ସ୍ପଷ୍ଟ। ୨୦୧୮-୧୯ ମସିହାରେ ଭାରତର ଆଞ୍ଚଳିକ ରାଜନୀତିକ ଦଳମାନେ କେଉଁଠୁ କେତେ ପଇସା ଆୟ କରିଛନ୍ତି ତାହାର ବିବରଣୀ ମାଗିଥିଲେ। ଏହି ବିବରଣୀ ପ୍ରଦାନ ବାଧ୍ୟତାମୂଳକ ହୋଇଥିବାରୁ ଦଳଗୁଡ଼ିକ ଲିଖିତ ବିବରଣୀରେ କହିଛନ୍ତି ଯେ, ଅନାବନା ଉତ୍ସରୁ ତାଙ୍କୁ ଟଙ୍କା ମିଳିଛି। ପୁଣି ଏହି ଟଙ୍କା ପରିମାଣ କେତେ ଜାଣନ୍ତି? ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବରଂ ଆଞ୍ଚଳିକ ଦଳକୁ ମିଳିଥିବା ସାଢ଼େ ଚାରିଶହ କୋଟି ଟଙ୍କା। ଏହି ପ୍ରକାର ଆୟ ବର୍ଗରେ ଅର୍ଥଦାତାଙ୍କ ନାଁ, ଗାଁ କି ଠିକଣା ଉଲ୍ଲେଖ ନାହିଁ। ଅର୍ଥାତ୍ ଭୁତ ଆସେ ଓ ପଇସା ମୁଣିଟା ଅଜାଡ଼ି ଦେଇ ଚାଲିଯାଏ!
ଏଥର ବିଜେଡି ବିଷୟ। ଦେଶର ଆଞ୍ଚଳିକ ଦଳଗୁଡ଼ିକ ଭିତରେ ସବୁଠାରୁ ଅଧିକ ଭୁତ ପଇସା ଅର୍ଜନ କରିଛି ବିଜେଡି। ଅର୍ଥାତ୍ ଦେଶର ସମସ୍ତ ଆଞ୍ଚଳିକ ରାଜନୀତିକ ଦଳମାନଙ୍କଠୁ ଅଧିକ ଭୁତ ପାଣ୍ଠି ବିଜେଡି ଅର୍ଜନ କରିଛି। ଏହି ଅଚିହ୍ନା ସୁତ୍ରରୁ ମିଳିଥିବା ଅର୍ଥର ପରିମାଣ ହେଉଛି ୨୧୩ କୋଟି ୪୩ ଲକ୍ଷ ୩୦ ହଜାର ଟଙ୍କା।
ବିଜେଡି ତଳକୁ ଦେଶର ଦ୍ଵିତୀୟ ଆଞ୍ଚଳିକ ଦଳ ଯାହା ଆନ୍ଧ୍ରରେ ଶାସନ କରୁଛି ତାହାର ଅଚିହ୍ନା ସୂତ୍ରରୁ ଆୟ ପରିମାଣ ହେଉଛି ୧୦୦ କୋଟି ୫୦ ଲକ୍ଷ ଠଙ୍କା। ଠିକ୍ ସେହିପରି ଏହି ଭୁତ ଟଙ୍କା ଅର୍ଜନ କରିଥିବା ଅନ୍ର ଦଳ ଭିତରେ ତୃତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ରକୁ ଶାସନ କରୁଥିବା ଶିବସେନା। ଏହି ଦଳ ୬୦ କୋଟି ୭୩ ଲକ୍ଷ ଟଙ୍କା ଅଚିହ୍ନା ସୁତ୍ରରୁ ଆୟ କରିଛି। ଏହା ତଳକୁ ଜେଡିଏସ୍। ଏହି ଦଳ ଦେବେଗୌଡ଼ାଙ୍କ ସଭାପତିତ୍ଵରେ ଚାଲେ। ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ଦଳ କଣ୍ଣଟକାର କ୍ଷମତାରେ ଥିଲା। ଏହି ଦଳର ସେ ବର୍ଷ ଅଘୋଷିତ ସୂତ୍ରର ଆୟ ଥିଲା ୩୯ କୋଟି ୭୮ ଲକ୍ଷ। ସେହିପରି ଆନ୍ଧ୍ର ପ୍ରଦେଶର ଶାସନରେ ଥିବା ତଥା ଏବେ ବିରୋଧୀଦଳ ଭୁମିକାରେ ଥିବା ତେଲୁଗୁଦେଶମ ପାର୍ଟି ୩୭ କୋଟି ୭୮ ଲକ୍ଷ ଅଚିହ୍ନି ସୁତ୍ରରୁ ଆୟ କରିଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଦଳ ଜେଡିୟୁ ସମ୍ପୃକ୍ତ ବର୍ଷ ୮ କୋଟି ୬୩ ଲକ୍ଷ ଟଙ୍କା ଭୁତ ଉତ୍ସରୁ ପ୍ରାପ୍ତ କରିଛି।
ଏହି ତାଲିକା ସ୍ପଷ୍ଟ କରୁଛି ଯେ, ଯେଉଁ ଦଳ ଶାସନରେ ରହିଛି ବା ଶାସନରେ ଥିବା ବେଳେ ନିର୍ବାଚନର ସମ୍ମୁଖୀନ ହୋଇଛି ସେହି ଦଳ ଅଧିକ ଅଘୋଷିତ ସୁତ୍ରରୁ ଆୟ କରିଛି।
ଇଲେକ୍ଟୋରାଲ୍ ବଣ୍ଡ୍ ଖୋଲିଛି ଭୁତ ଦୁଆର
ଦେଶରେ ନିର୍ବାଚନ ପାଣ୍ଠି ସଂଗ୍ରହ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଲାଗି ମୋଦି ସରକାର ଇଲେକ୍ଟୋରାଲ୍ ବଣ୍ଡ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏହି ବଣ୍ଡ ରାଜନୀତିକ ଦଳ ପାଇଁ ଆଶୀର୍ବାଦ ହୋଇଛି। ଏହି ବଣ୍ଡ ଦ୍ଵାରା ଦଳଗୁଡ଼ିକ ଆଗରେ ଲଟେରୀ ଲାଗିଲା ଭଳି ଟଙ୍କା ବର୍ଷା ହେଉଛି। ଇଲେକ୍ଟୋରାଲ୍ ବଣ୍ଡ ଆକାରରେ ଦାନ ପାଇଁ କୌଣସି ଦାତାର ପରିଚୟ ଦେବା ବାଧ୍ୟତାମୂଳକ ନଥିବାରୁ ଦଳଗୁଡ଼ିକ ସେହି ଧାରାରେ ଅଧିକ ଅର୍ଥ ସଂଗ୍ରହ କରୁଛନ୍ତି। ଫଳରେ ପରିସ୍ଥିତି ଏପରି ହୋଇଛି ଯେ, ସାଧାରଣ ସଦସ୍ୟ ଓ ଜଣାସୁତ୍ରରୁ ମିଳୁଥିବା ଅର୍ଥଠୁ ଏହି ଅର୍ଥ ଯଥେଷ୍ଟ ବଢ଼ି ଯାଇଛି।
ଏଡିଆର୍ ଦର୍ଶାଇଛନ୍ତି ଯେ, ଏହି ଆଞ୍ଚଳିକ ଦଳଗୁଡ଼ିକର ସମୁଦାୟ ଅଣ ସୂତ୍ର ଆୟ ବା ଭୁତା ପଇସାର ମୂଲ୍ୟ ହେଉଛି ୪୮୧ କୋଟି ୨୭ ଲକ୍ଷ ୬୦ ହଜାର ଟଙ୍କା। ଏଥିରୁ ୯୦.୭୯ ପ୍ରତିଶତ ଅର୍ଥାତ୍ ୪୩୬ କୋଟି ୯୯ ଲକ୍ଷ ଟଙ୍କା ଇଲେକ୍ଟୋରାଲ୍ ଫଣ୍ଡରୁ ଆୟ ହୋଇଛି। ଅନ୍ୟ ଭୁତ ଆୟର ଉତ୍ସଗୁଡ଼ିକ ହେଲା ୨୦ ହଜାର ଟଙ୍କା ଯାଏ ସ୍ଵେଚ୍ଛାକୃତ ଦାନ, ରାଜନୀତିକ ଦଳଗୁଡ଼ିକର କୂପନ ବିକ୍ରୀ ଆୟ ଏବଂ ବିବିଧ ଆୟ ପ୍ରଭୃତି।