ଖତଗଦାରେ ବିଜୁ ଯୁବବାହିନୀ

ଗଲା ସପ୍ତାହରେ  ରାଜ୍ୟକୁ ଲଗାତାର ୨୦ ବର୍ଷରୁ ଅଧିକ ବର୍ଷ ହେଲା  ଶାସନ କରୁଥିବା ବିଜୁ ଜନତା ଦଳ ପକ୍ଷରୁ ବରିଷ୍ଠ ନେତାଙ୍କୁ ସ୍ଵତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି। ଏଥିପାଇଁ ଉଦ୍ଦିଷ୍ଟ  ଘୋଷଣାମୂଳକ ତାଲିକାରେ ବିଜେଡିର ଫ୍ଲାଗ୍‌ଶିପ୍‌ କାର୍ଯ୍ୟକ୍ରମ ସଶକ୍ତ ଓଡ଼ିଶା, ମୋ ପରିବାର ପ୍ରଭୃତି ଯୋଜନା ସାମିଲ୍ ରହିଛି। ପୁଣି ତାଲିକା ଘୋଷଣାର ତିନିଦିନ ପୂର୍ବରୁ ଅର୍ଥାତ୍‌ ଜୁଲାଇ ୧୩ ତାରିଖ ଦିନ ବିଭିନ୍ନ ଜିଲ୍ଲାରେ ମହିଳା ସଂଗଠନକୁ ଶକ୍ତ କରିବା ଲାଗି ଦଳ ନୂଆ ମଙ୍ଗୁଆଳ ନିଯୁକ୍ତ କରିଥିଲେ। ସେହିପରି ଜୁଲାଇ ୮ ତାରିଖରେ ୧୫ ଜଣ ବରିଷ୍ଠ ନେତା ତଥା କାର୍ଯ୍ୟକାରୀ ମନ୍ତ୍ରୀଙ୍କୁ ଦଳର ବିଭିନ୍ନ କାଯ୍ୟକ୍ରମ ଓ ସଂଗଠନ ଦାୟିତ୍ଵ ଦିଆଯାଇଥିଲା। ହେଲେ ଏ ସବୁଥିରୁ ବିଜୁ ଯୁବ ବାହିନୀକୁ ଚତୁରତାର ସହ ଏଡ଼ାଇ ଦିଆଯାଇଛି। ଏହାଦ୍ଵାରା ଉତ୍କଟ ବେକାରୀ ସମସ୍ୟାକୁ ଲାଘବ କରିବା ଉଦ୍ଦେଶ୍ୟରେ ଉଭୟ ସରକାର ଓ ସରକାରୀ ଦଳର ବଳିଷ୍ଠ ପ୍ରୟାସକୁ ସାଲିସ କରାଯାଇଛି। କାରଣ ଚଳିତ ବର୍ଷ ଆରମ୍ଭରୁ ସଂଗଠନକୁ କୌଣସି ଅର୍ଥ ଦିଆଯାଇ ନାହିଁ କି ସଂଗଠନରେ ନିଯୁକ୍ତ କର୍ମଚାରୀଙ୍କୁ ଭତ୍ତା ବି ପ୍ରଦାନ କରାଯାଇ ନାହିଁ। ଫଳରେ ୨୦୧୮ ପୂର୍ବରୁ ରାଜ୍ୟ ଯେଉଁ ବେକାର ଯୁବକଙ୍କୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲା ଏବେ ସେମାନେ ନା ଘରର ନା ଦଳର ହୋଇ ପାରୁଛନ୍ତି!

ନିର୍ବାଚନକୁ ବର୍ଷେ ବିତିଗଲାଣି। ଆଉ ହାତରେ ତିନିବର୍ଷ ରହିଲା-ପୁଣିଥରେ ନିର୍ବାଚନ ବର୍ଷକୁ ଓହ୍ଲାଇବା ଲାଗି। ଯେଉଁ ଧାରା ଏବେ ରାଜ୍ୟ ରାଜନୀତିରେ ପ୍ରଚଳିତ ରହିଛି ବାସ୍ତବରେ ସେହିବର୍ଷ ହିଁ ଅନେକ ସଶକ୍ତୀକରଣ ଅଭିଯାନ ଆରମ୍ଭ ହେବ। ଏମିତିରେ ୨୦୧୮ ବର୍ଷଟି ଆମ ସାମ୍ନାକୁ ଆସିଥିଲା, ଯେତେବେଳେ ଓଡ଼ିଶା ସରକାର ଅନେକ ସଂଖ୍ୟାରେ ଭାଷା, ସଂସ୍କୃତି, ଯୁବା, ମହିଳା, ଚାଷୀ ସଶକ୍ତୀକରଣ ତଥା ଜନକଲ୍ୟାଣ ଯୋଜନାସବୁ ପ୍ରଣୟନ କରିଥିଲେ। ସେଗୁଡ଼ିକୁ ଏବେ ଲେଖିଲେ ଖାତା ସରିଯିବ, ଆପଣଙ୍କ ଧୈର୍ଯ୍ୟ ବି! ନିର୍ବାଚନ ସରିଗଲା ପରେ କିନ୍ତୁ ଏହି ଯୋଜନା, ଅଭିଯାନ, ସଶକ୍ତୀକରଣ ତଥା ଜନ କଲ୍ୟାଣସବୁ କରୋନା ଭୁତାଣୁ ଭଳି ଅଦୃଶ୍ୟ ହୋଇ ଯାଇଛନ୍ତି। ଅର୍ଥାତ୍‌ ଆମ ଚାରିପାଖରେ ଏସବୁ ଯୋଜନା ରହିଛନ୍ତି କିନ୍ତୁ ଆମ ହିତରେ କେବେ ଆସିପାରୁ ନାହାନ୍ତି।

ଉପର ଅନୁଭବରୁ ଏହା ସ୍ପଷ୍ଟ ଯେ, ଏସବୁ ଉଦୃତ୍ତ ଯୋଜନାଗୁଡ଼ିକ ରାଜନୀତିକ ଯୋଜନା ବା ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ। କିନ୍ତୁ ସରକାରୀ ପ୍ରୋତ୍ସାହନରେ ବଳୀୟାନ ହୋଇ ଆମ ପାଖରେ ଦିନେ ଉଭା ହୋଇଥିଲେ। ଏବେ ଉଦ୍ଦେଶ୍ୟ ସଫଳ ଅର୍ଥାତ୍‌ ପୂର୍ବରୁ ଯେଉଁ ଦଳ ସରକାରରେ ଥିଲା ଏତେ ସେମାନେ ପୁଣିଥରେ ଶାସନ ଗାଦି ଅଳଂକୃତ କରିପାରିଥିବାରୁ ଉଭାନ ହୋଇଯାଇଛନ୍ତି। ପୁଣିଥରେ ନିର୍ବାଚନ ଆସିଲେ ଆଉଥରେ ଉଭା ହୋଇପାରନ୍ତି! ଏହା ନୂଆ ରୂପରେ ହୋଇପାରେ ବା ଯୋଜନାଗୁଡ଼ିକର ନବ-କଳେବର ବି ହୋଇପାରେ, ନୁହେଁକି?

ଏବେ କରୋନା ବିପତ୍ତିକୁ ଯୁଝୁବା ଚାଲିଛି। ଏଥିରେ ରାଜ୍ୟ ଶାସନ, ପ୍ରଶାସନ ଓ ରାଜ୍ୟବାସୀ ଏକାଠି ହୋଇଛନ୍ତି। ଅବଶ୍ୟ  ନିର୍ବାଚିତ ନେତା ଓ ମନ୍ତ୍ରୀମାନଙ୍କୁ ଏହି ଯୁଦ୍ଧରେ ଆଦୌ  ଦେଖିବାକୁ ମିଳୁ ନାହିଁ, କିନ୍ତୁ  ସେ ସମୟରେ ଗୋଟିଏ ନିର୍ଦିଷ୍ଟ ଦଳର ସଂଗଠନ ତଥା ସରକାରଙ୍କ ପୁରୁଣା ଯୋଜନା ବାବଦରେ ଚର୍ଚା କହିଁକି? ଏ ପ୍ରଶ୍ନ ଉଠିବା ସ୍ଵଭାବିକ। କିନ୍ତୁ ଏ ପ୍ରଶ୍ନ ସରକାରୀ ଦଳର କ୍ଷମତା ବଣ୍ଟନକୁ ପ୍ରଭାବିତ କରି ନାହିଁ। ବିପତ୍ତି କାଳରେ ସବୁ ବଳ. କ୍ଷମତାକୁ ଭୁଲି ଲୋକଙ୍କୁ ସେବା ଯୋଗାଇବା ବଦଳରେ ସରକାରୀ ଦଳରେ ବିଭାଗ ବଣ୍ଟା ଚାଲିଛି। କିଏ ସାମାଜିକ ବିକାଶ କିଏ, ମହିଳା ସଶକ୍ତିକରଣ, କିଏ ମିଡିଆ କଥା ତ କିଏ କୃଷି, ଶିଳ୍ପ… ଏମିତି।

ଏସବୁ ବିଭାଗ ବଣ୍ଟନ ତାଲିକାକୁ ଅନୁଭବ କଲେ ସ୍ପଷ୍ଟ ହେଉଛି ଯେ ଏହି ଦଳ ଏବେଠାରୁ ତାହାର ସଂଗଠନକୁ ମଜଭୁତ କରି ଆଉଥରେ ନିର୍ବାଚନ ଜିତିବାକୁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି। ଅର୍ଥାତ୍‌ ୨୦୨୪ ପାଇଁ ଏବେଠାରୁ ବିଜେଡି ପ୍ରସ୍ତୁତ ହେଲାଣି। ଏଥିରେ ଏମିତି କିଛି ଯୋଜନା ଯେମିତ ମୋ ପରିବାର, ସଶକ୍ତ ଓଡ଼ିଶା ପ୍ରଭୃତି ସାମିଲ୍‌ ରହିଛି। ହେଲେ ଯୁବାବର୍ଗଙ୍କୁ ତାଲିମ, ମେଧାବୃତ୍ତି ଓ ନିଯୁକ୍ତି ଦେଇଥିବା ବିଜୁ ଯୁବ ସଶକ୍ତିକରଣ ଅଭିଯାନ ଓ ଯୁବବାହିନୀ କଥା ଦଳ ବିଚାରକୁ ନେଇ ନାହିଁ।

ନିକଟରେ ଦଳ ପକ୍ଷରୁ ଘୋଷଣା କରାଯାଇଥିବା ତାଲିକା ଅନୁସାରେ ବିଜେଡିର ୩୬ଜଣ କର୍ମକର୍ତ୍ତାଙ୍କୁ ରାଜ୍ୟ ସରକାରରେ ଯେଉଁଭଳି ବିଭାଗସବୁ ରହିଛି ସେହି ଅନୁସାରେ  ଦାୟିତ୍ଵ ଦିଆଯାଇଛି।  ଅବଶ୍ୟ ସେମାନଙ୍କୁ କୌଣସି ସରକାରୀ ପଦବୀ ମିଳି ନାହିଁ କିନ୍ତୁ ସେମାନଙ୍କ ଭିତରୁ କିଛି ନେତା ଏବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ରାଷ୍ଟ୍ରମନ୍ତ୍ରୀ, କ୍ୟାବିନେଟ୍‌ ମନ୍ତ୍ରୀ ରହିବା ସହ କିଛି ଏହି ପାହ୍ୟାର  ପରାମର୍ଶଦାତା ରହିଛନ୍ତି। ଖାଲି ସେତିକି ନୁହେଁ,  ପରାମର୍ଶଦାତା ଭାବେ ଦାୟିତ୍ଵ ପାଇଥିବା ଏହି ଅଣ ନିର୍ବାଚିତ ନେତା ମାନେ  ନିର୍ବାଚିତ ହୋଇ କ୍ୟାବିନେଟ୍‌ରେ ମନ୍ତ୍ରୀ ଭାବେ ସ୍ଥାନୀତ ହୋଇଥିବା ନେତାଙ୍କଠାରୁ ଅଧିକ କ୍ଷମତା ଉପଭୋଗ କରୁଛନ୍ତି।  ସ୍ଵାସ୍ଥ୍ୟ ଓ ପରିବାରକଲ୍ୟାଣ କଥା କୁହନ୍ତୁ କି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସବୁଠାରେ ଏହି ବ୍ୟବସ୍ଥା ଦୃଶ୍ୟମାନ।

ଗଲା ସପ୍ତାହରେ ଘୋଷଣା କରାଯାଇଥିବା ଏହି ତାଲିକାରେ ବିଜେଡିର ଫ୍ଲାଗ୍‌ଶିପ୍‌ କାର୍ଯ୍ୟକ୍ରମ ସଶକ୍ତ ଓଡ଼ିଶା, ମୋ ପରିବାର ପ୍ରଭୃତି ପାଇଁ ଏକାଧିକ ନେତାଙ୍କୁ ଦାୟିତ୍ଵ ଦିଆଯାଇଛି। ଏହାର ତିନିଦିନ ପୂର୍ବରୁ ଅର୍ଥାତ୍‌ ଜୁଲାଇ ୧୩ ତାରିଖ ଦିନ ବିଭିନ୍ନ ଜିଲ୍ଲାରେ ମହିଳା ସଂଗଠନକୁ ଶକ୍ତ କରିବା ଲାଗି ନୂଆ ମଙ୍ଗୁଆଳ ନିଯୁକ୍ତ କରିଥିଲେ। ସେହିପରି ଜୁଲାଇ ୮ ତାରିଖରେ ୧୫ ଜଣ ବରିଷ୍ଠ ନେତା ତଥା କାର୍ଯ୍ୟକାରୀ ମନ୍ତ୍ରୀଙ୍କୁ ଦଳର ବିଭିନ୍ନ କାଯ୍ୟକ୍ରମ ଓ ସଂଗଠନ ଦାୟିତ୍ଵ ଦିଆଯାଇଥିଲା। ହେଲେ ଏ ସବୁଥିରୁ ଦୂରେଇ ରହିଛି ବିଜୁ ଯୁବ ବାହିନୀ।

ଏକ ସାମାଜିକ ସଂଗଠନ ଭାବେ ଏହି ବାହିନୀ ରାଜ୍ୟର ସାମାଜିକ ବିକାଶ ତଥା ସଦ୍‌ଭାବ ବୃଦ୍ଧି ଓ ସାଂସ୍କୃତିକ ବିକାଶରେ ସହାୟକ ହେବା କଥା। ବିପତ୍ତି କାଳରେ ଏହା ଲୋକଙ୍କ ସାମ୍ମୁଖରେ ସରକାରୀ ଦଳର ବାର୍ତ୍ତାବହ ହେବା ଆବଶ୍ୟକ। କିନ୍ତୁ ଫୋନି, କରୋନା ମହାବିପତ୍ତିରେ ଏମାନଙ୍କର ଅସ୍ତିତ୍ଵ ନାହିଁ। ଯଦିଓ ଏବେକାର ବିଜୁ ଯୁବବାହିନୀ ଅଧ୍ୟକ୍ଷ ସମୟ ସମୟରେ କିଛି ଫଟୋ ସାମାଜିକ ମିଡିଆରେ ପୋଷ୍ଟ କରି ଆତ୍ମତୃପ୍ତି ନେଉଛନ୍ତି କିନ୍ତୁ ବାସ୍ତବରେ ଏହି ଯୁବବାହିନୀ ଏବେ ଖତଗଦାରେ ପଡ଼ିଛି।

ଆସନ୍ତୁ ବିଜୁ ଯୁବବାହିନୀର ପୃଷ୍ଠଭୂମି ଉପରେ କିଛି ନଜର ପକାଇବା। ରାଜ୍ୟରେ ବେକାରୀ ସଂଖ୍ୟା ହୁହୁ ହୋଇ ବଢ଼ିବା ଏବଂ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନଥିବାର ଯେଉଁ ଅଭିଯୋଗ ବିଧାନସଭାଠୁ ଆରମ୍ଭ କରି ରାଜ ରାସ୍ତାଯାଏ ଗର୍ଜନ କଲା ତାହାକୁ ପ୍ରଶମିତ କରିବା ଲାଗି ସରକାର ୨୦୧୪ରେ ଏକ ନିଷ୍ପତ୍ତି ନେଲେ। ଆତ୍ମ ନିଯୁକ୍ତି ଓ ସେମାନଙ୍କୁ ସାମାଜିକ ବିକାଶର ସ୍ରୋତରେ ସାମିଲ୍‌ କରିବା ଲାଗି ଚାହିଁଲେ। ଏହା ସହ ବିଭିନ୍ନ ସ୍କୁଲ୍‌ ଓ କଲେଜରେ ପିଲାଙ୍କୁ ଆତ୍ମ ନିର୍ଭରଶୀଳ ହେବା ଲାଗି ତାଲିମ ଦେବାଲାଗି ଘୋଷଣା ହେଲା। ହେଲେ ତାଲିମ ବଦଳରେ ମେଧା ଓ ପ୍ରତିଭା ଅନ୍ବେଷଣ ଏବଂ ପୁରସ୍କାର ଯୋଜନାରେ ଏହି ଉଦ୍ଦେଶ୍ୟ ସୀମିତ ରହିଲା।

ଏହାପରେ ଓଡ଼ିଶାର ୬୦୮ ଗ୍ରାମପଞ୍ଚାୟତ ୧୨୦ ନଗର ପରିଷଦରେ ୨ଲକ୍ଷ ୯୨ ହଜାର ବେକାରଙ୍କୁ ଏଥିରେ ଅନ୍ତର୍ଭୁକ୍ତ ପାଇଁ ଘୋଷଣା କରାଯାଇଥିଲା। ପ୍ରତି ପଞ୍ଚାୟତ ଓ ନଗର ପରିଷଦରେ ୨୦ ଜଣ ଲେଖାଏଁ ବେକାର ଯୁବକ-ଯୁବତୀଙ୍କୁ ନେଇ ଯୁବବାହିନୀ ଗଠନର ଲକ୍ଷ୍ୟ ରଖାଯାଇଥିଲା।  ଏଥିପାଇଁ ୨୦୧୮ରେ ୩ବର୍ଷିୟା ଯୋଜନା ଗ୍ରହଣ କରାଯାଇ ୪୫୦.୪୯କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ପ୍ରତିବର୍ଷ ୧୮୩ କୋଟିରୁ ଅଧିକ ଟଙ୍କା ଯୁବବାହିନୀ ମାଧ୍ୟମରେ ବିନିଯୋଗ କରିବାକୁ ଘୋଷଣା ହୋଇଥିଲା। ପ୍ରତିବର୍ଷ ପ୍ରତ୍ୟେକ ଯୁବବାହୀନକୁ ୧.୫୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।

ମାର୍ଚ ୧୪, ୨୦୧୮ ମସିହାରେ ରାଜ୍ୟ କ୍ୟାବିନେଟ୍‌ ବିଜୁ ଯୁବବାହିନୀର ଗଠନକୁ ସ୍ଵିକୃତୀ ଦେଲା। ରାଜ୍ୟର ୬୭୯୯ଟି ଗ୍ରାମ ପଞ୍ଚାୟତ, ୧୧୪ ମ୍ୟୁନିସିପାଲିଟିରେ ୮୦୦୦ରୁ ଅଧିକ ବିଜୁ ଯୁବବାହିନୀ ଗଠନ କରାଯାଇଥିଲା। ଏଥିରେ ୧୫ରୁ ୩୫ ବର୍ଷ ଯାଏ ଯୁବକଙ୍କୁ ସାମିଲ୍‌ କରାଯାଇଥିଲା। ସେତେବଳେ ଅନ୍‌ଲାଇନ୍‌ ପ୍ଲାଟଫର୍ମ, ଆଣ୍ଡଏଡ୍‌ ଆପ୍‌ ଜରିଆରେ ଏକ ବିଶାଳ ଯୁବ ପ୍ଲାଟଫର୍ମ ଗଢ଼ିବା ପାଇଁ ଏହି ବାହିନୀ କାର୍ଯ୍ୟ କରୁଥିଲା। ମିଳିଥିବା ସରକାରୀ ତଥ୍ୟ ଅନୁସାରେ ଏଥିରେ ୨ ଲକ୍ଷ ୬୬ ହଜାର ସ୍ଵେଚ୍ଛାସେବୀ ପଞ୍ଜିକୃତ ହୋଇଥିଲେ।  ପୂର୍ବରୁ ବିଜେଡିର ସାଂସଦ ପ୍ରାର୍ଥୀ ଥିବା ଅରୂପ ପଟ୍ଟନାୟକ ଏହାର ମୁଖ୍ୟ ଥିଲେ ଏବେ ସେହି ଦାୟତ୍ଵରେ ଅଛନ୍ତି ବିଜୟ ନାୟକ।

ଏବେ ଯୁବବାହିନୀ କେବଳ ବିଜୟଙ୍କ ସୋଶାଲ୍‌ ମିଡିଆ ଆକାଉଣ୍ଟରେ ରହିଛି। ସଂଗଠନର ନେଟୱର୍କରେ ଥିବା ଯୁବାକର୍ମୀ ଯେଉଁମାନେ ନିଜର କ୍ୟାରିୟର ଆଶାରେ ୨ବର୍ଷ ସମୟ ବିତାଲିଲେ ସେମାନେ ଆଜି ବେକାର ହୋଇ ବୁଲୁଛନ୍ତି। ସେତେବେଳେ ଏମାନେ କ୍ରୀଡ଼ା ବିଭାଗ ପକ୍ଷରୁ ନିଯୁକ୍ତ ୬ଟି ସେବା ପ୍ରଦାନକାରୀ ସଂସ୍ଥାର କର୍ମଚାରୀ ଥିଲେ। ସେଗୁଡ଼ିକ ହେଲା  ପିପୁଲ୍ସ ଫୋରମ, ପ୍ରେମ, ଏଏମଏସ, ଏସପିସି, ହର୍ଷାଟ୍ରଷ୍ଟ, ଓସ୍କାକୁ ଦାୟିତ୍ୱ ଦିଆଯାଇଥିଲା। ଏହି ୬ଟି ଘରୋଇ ପ୍ରୋଭାଇଡର ପ୍ରତ୍ୟେକ ୫ଟି ଲେଖାଏଁ ଜିଲାର ଦାୟିତ୍ୱ ନେଇଥିଲେ। ଅର୍ଥ ପାଇ ନଥଇବାରୁ ଏହି ସଂସ୍ଥାଗୁଡ଼ିକ ଆଉ କାମ କରୁ ନାହାନ୍ତି। ଏହାଦ୍ଵାରା ତାଙ୍କ ଅଧୀନରେ ନିଯୁକ୍ତ କର୍ମୀମାନେ ସେମାନଙ୍କ ଦୁଇ ବର୍ଷର ପରିଶ୍ରମ ବେକାର ଯାଇଛି। ଅର୍ଥାତ୍‌ ରାଜ୍ୟରେ ଯେଉଁ ବେକାରୀ ରହିଥିଲେ ତାହା ଆହୁରି ଉତ୍କଟ ହୋଇଛି।

Leave a Reply

Your email address will not be published.