ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ
ଭୁବନେଶ୍ବର, (ଓଡିଶା ଟାଇମ୍) :ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ୧୦୫ ତମ ଜନ୍ମ ବାର୍ଷିକ। ବିଜୁ ଜୟନ୍ତୀକୁ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ଭାବେ ପାଳନ କରୁଛନ୍ତି। ବିଜୁ ଜୟନ୍ତୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । କଟକ ଆନନ୍ଦଭବନରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରେ ସାଇକେଲ୍ ରାଲି ପହଞ୍ଚିବ।
କଟକ ଯୋବ୍ରାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସାଇକେଲ ରାଲି ବାହାରିଛି । ଭୁବନେଶ୍ବର ବିମାନବନ୍ଦରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ସାଇକେଲ ରାଲି ଶେଷ ହେବ । ବିଜୁବାବୁଙ୍କ କଟକରୁ ପେଶୱାର ପର୍ଯ୍ୟନ୍ତ ୪୫ଶହ ମାଇଲର ଦୁଃସାହସିକ ସାଇକଲ ଯାତ୍ରାକୁ ମନେ ପକେଇ ଦେବାକୁ ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସାଇକଲ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଏଥି ସହିତ ପ୍ରତି ନିର୍ବାଚନମଣ୍ଡଳୀ ସ୍ତରରେ ବିଜୁ ଜୟନ୍ତୀ ପାଳନ କରାଯିବ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନ ୧୦.୪୫ରେ ଫରେଷ୍ଟ ପାର୍କରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ପରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀ ସମାବେଶକୁ ଭର୍ଚୁଆଲ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବେ।
ପଞ୍ଚାୟତିରାଜ ଦିବସ ଅବସରରେ ବିଜେଡି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରାଜ୍ୟର ଜନସାଧାରଣଙ୍କ ସେବାରେ ନିଜକୁ ପୁନଃ ଉତ୍ସର୍ଗ କରିବା ସହିତ ଦଳୀୟ ଏକତା, ଶୃଙ୍ଖଳା ଏବଂ ଅନୁଶାସନ ପାଳନ କରିବା ନେଇ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ସେପଟେ ପଞ୍ଚାୟତିରାଜ ଦିବସ ପାଇଁ ଆଜି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ୍ ବନ୍ଦ ରହିବ। ଏଥିସହ ରାଜ୍ୟର ସମସ୍ତ ବିଶ୍ଵ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ଅଧିନ ସମସ୍ତ ଡିଗ୍ରୀ କଲେଜ୍ ମଧ୍ୟ ଛୁଟି ରହିବ।