ସତ୍ୟନଗର ଶ୍ମଶାନରେ ଶେଷହେଲା ବିଜୟ ମହାନ୍ତିଙ୍କ ଶେଷକୃତ୍ତ୍ୟ
ଭୁବନେଶ୍ବର, (ଓଡିଶା ଟାଇମ୍) : ବରିଷ୍ଠ ଅଭିନେତା ବିଜୟ ମହାନ୍ତଙ୍କର ଶେଷକୃତ୍ତ୍ୟ ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ସଂପନ୍ନ ହୋଇଛି। କୋଭିଡ କଟକଣା ପାଇଁ ମାତ୍ର ଅଳ୍ପକେତେ ଜଣ ଲୋକଙ୍କ ସମାଗମରେ ବିଜୟଙ୍କ ଶେଷକୃତ୍ତ୍ୟ କରାଯାଇଛି। ବିଜୟଙ୍କ ଜ୍ବାଇଁ ମୁଖାଗ୍ନି ଦେଇଥିବା ଜଣାପଡିଛି। ନିଜର ବଳିଷ୍ଠ ଅଭିନୟରେ ଲକ୍ଷ ଲକ୍ଷ କନ୍ଦାଉଥିବା ବିଜୟ ଗତକାଲି ରାତିରେ ସତରେ ସମସ୍ତଙ୍କୁ କନ୍ଦାଇ ଆରପାରିକୁ ଚାଲିଯାଇଛନ୍ତି ।
ବମିଖାଲ ସ୍ଥିତ ବାସଭବନରୁ ବିଜୟ କର୍ମମୟ ଜୀବନ ବିତାଇଥିବା ସଙ୍ଗୀତ ମହାବିଦ୍ୟାଳୟକୁ ତାଙ୍କ ପାର୍ଥୀବ ଶରୀରକୁ ନିଆଯାଇଥିଲା। ସେଠାରେ ବିଜୟଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ୍ ଅନର ଦିଆଯିବା ପରେ ସମସ୍ତ ଓଡିଆ କଳାକାରମାନେ ତାଙ୍କର ଶେଷଦର୍ଶନ କରିଥିଲେ। ବହୁ ବରିଷ୍ଠ ଅଭିନେତାଙ୍କ ସହ ରାଜନେତାମାନେ ମଧ୍ୟ ଓଡିଆ ଚଳଚିତ୍ର ଜଗତର ବାଦଶାହା ବଜିୟ ମହାନ୍ତଙ୍କୁ ଶେଷ ଦର୍ଶନ କରିଥିଲେ। ସଙ୍ଗୀତ ମହାବିଦ୍ୟାଳୟରୁ ବିଜୟଙ୍କ ପାର୍ଥୀବ ଶରୀର ଭୁବନେଶ୍ବର ସତ୍ୟନଗର ଶ୍ମଶାନକୁ ନିଆଯାଇ ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।
ତେବେ ଗତ ମେ ମାସରେ ଛାତିରେ ଯନ୍ତ୍ରଣା କାରଣରୁ ବିଜୟ ମହାନ୍ତିଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା କରାଯାଉଥିଲା । ଜୁନ୍ ୧୪ରେ ହାଇଦ୍ରାବାଦରୁ ଭୁବନେଶ୍ୱର ଫେରି କେୟାର ହସ୍ପିଟାଲରେ ଚିକିତ୍ସା ହେଉଥିଲେ ବିଜୟ । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଗତ ସନ୍ଧ୍ୟାରେ ତାଙ୍କୁ ପୁଣି ଥରେ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।