ଫସିଯିବେ କି ‘କେଚୁଆ’ !…
BHUBANESWAR: ଜିତିବେ ନା ଫସିବେ ! ଫସିବେ ନା ଫସାଇବେ ! ନା, ନିଜେ ଅପଦସ୍ତ ହେବା ସହ ସରକାରଙ୍କୁ ବି ଅପଦସ୍ତ କରିବେ ! ଆସନ୍ତା ୨୮ ତାରିଖରେ ସୁପ୍ରିମକୋର୍ଟରେ ହେବାକୁ ଥିବା ଚୂଡ଼ାନ୍ତ ଶୁଣାଣିରେ କେନ୍ଦ୍ରୀୟ ଚୁନାବ ଆୟୋଗ ବା ‘କେଚୁଆ’, କେଞ୍ଚୁଆ ହୋଇ ଯିବେନି ତ !
ଆସନ୍ତା ନଭେମ୍ବରରେ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ । ତା ପୂର୍ବରୁ ବିହାରରେ ଚାଲିଛି ଭୋଟର ତାଲିକା ସଂଶୋଧନ । ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଚାଲିଛି Special Intensive Revision ବା SIR ଅଭିଯାନ । ଯେଉଁଥିରେ ବିହାରର ୭ କୋଟି ୯୦ ଲକ୍ଷ ଭୋଟର, ସେମାନଙ୍କ ନାଗରିକତାର ପ୍ରମାଣ ପତ୍ର ଦେବେ । ଏତେ ବଡ଼ ନିଷ୍ପତ୍ତି… ଏତେ ବଡ଼ ପଦକ୍ଷେପ… କିନ୍ତୁ ବିହାରରେ ନିର୍ବାଚନୀ ସ୍ଥିତି ସମୀକ୍ଷା କରିବା ପୂର୍ବରୁ ପାଟନାରେ ହୋଇଥିବା ସର୍ବଦଳୀୟ ବୈଠକରେ ଆଲୋଚନା ବେଳେ ଏହା କହି ନଥିଲେ କମିଶନ । କିନ୍ତୁ ଜୁନ୍ ୨୪ ତାରିଖରେ କମିଶନଙ୍କ ୱେବସାଇଟରେ ଏ ସଂକ୍ରାନ୍ତ ୨୩ ପୃଷ୍ଠା ସମ୍ବଳିତ ନିର୍ଦ୍ଦେଶନାମା ପ୍ରକାଶିତ ହୋଇଛି । ଯାହାକୁ ନେଇ ପ୍ରଥମ ଦିନରୁ ଜୋରଦାର ଆପତ୍ତି ଉଠାଇଛନ୍ତି କଂଗ୍ରେସ, ଆରଜେଡି, ସମାଜବାଦୀ ପାର୍ଟି, ଶରଦ ପାୱାରଙ୍କ ଏନସିପି ଏବଂ ବାମ ଦଳ । ଆସୋସିସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ ଭଳି କିଛି ସ୍ବେଚ୍ଛାସେବୀ ସଂଗଠନ ଏବଂ ଯୋଗେନ୍ଦ୍ର ଯାଦବଙ୍କ ଭଳି କିଛି ରାଜନୈତିକ ବୁଦ୍ଧିଜୀବୀ ମଧ୍ୟ ଏନେଇ କେବଳ ପ୍ରଶ୍ନ ଉଠାଇ ନାହାନ୍ତି, ବରଂ ଏହାକୁ NRCର Secret Drive ବୋଲି ସନ୍ଦେହ କରି ତୀବ୍ର ବିରୋଧ କରୁଛନ୍ତି । ଏନେଇ ଆଗତ ଏକାଧିକ ଆବେଦନ ଉପରେ ଜୁଲାଇ ୧୦ ତାରିଖରେ ଶୁଣାଣି ଆରମ୍ଭ କରିଛନ୍ତି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ସୁଧାଂଶୁ ଧୂଲିଆ ଏବଂ ଜଷ୍ଟିସ୍ ଜୟମାଲ ବାଗଚୀଙ୍କ ଦୁଇ ଜଣିଆ ଖଣ୍ଡପୀଠ । ମୁଖ୍ୟ ନିର୍ବାଚନ କମିଶନ ବା “କେଚୁଆ”ଙ୍କ ପକ୍ଷରୁ ଆରମ୍ଭ ହୋଇଥିବା Special Intensive Revision ବା SIR ଉପରେ ରୋକ୍ ଲଗାଇ ନାହାନ୍ତି । ଶୁଣାଣି ସରିନି, ଜୁଲାଇ ୨୮ରେ ହେବାକୁ ଯାଉଛି ଚୂଡ଼ାନ୍ତ ଶୁଣାଣି । ତେବେ ତା ପୂର୍ବରୁ, ଜୁଲାଇ ୨୧ ତାରିଖ ସୁଦ୍ଧା ସତ୍ୟପାଠ ଜରିଆରେ, ମୁଖ୍ୟ ନିର୍ବାଚନ କମିଶନଙ୍କୁ ୩ଟି ପ୍ରଶ୍ନର ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ ।
1- ପ୍ରଥମ ପ୍ରଶ୍ନ- ଭୋଟରଙ୍କ ନାଗରିକତା ଜାଣିବା ସଂକ୍ରାନ୍ତ ଏଭଳି Special Intensive Revision ବା SIR ଅଭିଯାନ ଚଳାଇବାକୁ କମିଶନଙ୍କର, ଅଧିକାର ବା କ୍ଷମତା ଅଛି ନା ନାହି ?
2- ଦ୍ବିତୀୟ ପ୍ରଶ୍ନ ହେଉଛି, ଏଭଳି ଅଭିଯାନର ଆଧାର ବା ଉଦ୍ଦେଶ୍ୟ କଣ ରହିଛି ?
3- ତୃତୀୟ ପ୍ରଶ୍ନ- ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ଏଭଳି ଅଭିଯାନ ପଛର ଉଦ୍ଦେଶ୍ୟ କଣ ?
ନାଗରିକତା ପ୍ରମାଣିତ କରିବାକୁ ୧୧ଟି ସରକାରୀ ପ୍ରଦତ୍ତ ପତ୍ର ବା Card ମଧ୍ୟରୁ ଯେ କୌଣସି ଗୋଟେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । କିନ୍ତୁ ଆଧାର କାର୍ଡକୁ ନିରାଧାର କହି ଗ୍ରହଣ କରିବାକୁ ସଫା ସଫା ମନା କରି ଦେଇଛନ୍ତି କମିଶନ । ସେହିଭଳି ଭୋଟ୍ ପରିଚୟ ପତ୍ର ଏବଂ ରାସନ୍ କାର୍ଡ ମଧ୍ୟ ଗ୍ରହଣୀୟ ହେବ ନାହିଁ ବୋଲି କହିଛନ୍ତି । ସୁପ୍ରିମକୋର୍ଟ କିନ୍ତୁ ଏହି ୩ଟି କାର୍ଡ ମଧ୍ୟରୁ ଯେ କୌଣସି ଗୋଟିକୁ ନାଗରିକତାର ପରିଚୟ ପତ୍ର ଭାବେ ଗ୍ରହଣ କରିବାକୁ କମିଶନଙ୍କୁ ପରାମର୍ଶ ଦେଇଛନ୍ତି । ଆଉ ସଂଯୋଗବଶତଃ ଆବେଦନକାରୀ ରାଜନୈତିକ ଦଳଗୁଡ଼ିକ ମଧ୍ୟ ଏହି ଦାବି କରିଛନ୍ତି । ଯାହା କମିଶନଙ୍କ ପାଇଁ ଏକ ପ୍ରକାର ସଂଜିବନୀ ସାବ୍ୟସ୍ତ ହୋଇପାରେ । ସତ୍ୟପାଠ ମାଧ୍ୟମରେ କମିଶନ ହୁଏତ ସୁପ୍ରିମକୋର୍ଟଙ୍କ ଏହି ପରାମର୍ଶ ଗ୍ରହଣ କରିପାରନ୍ତି । ସେପଟେ ୧୯୫୦ ଲୋକ ପ୍ରତିନିଧି ଆଇନର ଧାରା ୨୧ର, ଉପଧାରା ୩, କମିଶନଙ୍କ ପାଇଁ ସୁରକ୍ଷା କବଚ ହେବ କି ! ଏହି ଆଇନ ଅନୁଯାୟୀ କମିଶନ ଚାହିଁଲେ ଏଭଳି Specisl revision କରିପାରିବେ । କିନ୍ତୁ ତାହା ସମ୍ପୂର୍ଣ୍ଣ Justified ହୋଇଥିବା ଦରକାର ।
ନିର୍ବାଚନ କମିଶନଙ୍କ ଜୁନ୍ ୨୪ ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ୨୦୦୩ ଭୋଟର ତାଲିକାରେ ନଥିବା ଭୋଟରମାନେ ସେମାନଙ୍କ ନାଗରିକତା ପ୍ରମାଣ ପତ୍ର ଦେବେ । ପୁଣି ୨୦୦୪ ପରେ ଯେଉଁମାନେ ଜନ୍ମ ହୋଇଛନ୍ତି, ସେମାନେ ନିଜ ଜନ୍ମ ପ୍ରମାଣପତ୍ର ସହ ବାପା-ମାଆ ଉଭୟଙ୍କ ନାଗରିକତା ପ୍ରମାଣ ପତ୍ର ମଧ୍ୟ ଦେବେ । ବାପା-ମାଆଙ୍କ ମଧ୍ୟରୁ ଯଦି କେହି ବିଦେଶୀ ହୋଇଥାନ୍ତି, ତେବେ ସେ ସଂକ୍ରାନ୍ତ ଅତିରିକ୍ତ ପ୍ରମାଣ ପତ୍ର ବି ଦାଖଲ କରିବେ । ଏ କ୍ଷେତ୍ରରେ ପିଲା ଜନ୍ମ ବେଳେ ବାପା କିମ୍ବା ମାଆ ବିଦେଶୀ ହୋଇଥିଲେ ସେମାନଙ୍କ ଭିସା କିମ୍ବା ପାସପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଯାହାକୁ ନେଇ ଖଣ୍ଡପୀଠ କମିଶନଙ୍କୁ ଭଲ ପ୍ରଶ୍ନଟିଏ ପଚାରିଛନ୍ତି । “ଏ ଯେଉଁସବୁ ପ୍ରମାଣ ପତ୍ର ଦେବାକୁ କୁହାଯାଇଛି, ସେସବୁ ଆମ ଭଳି ସୁପ୍ରିମକୋର୍ଟର ବିଚାରପତିଙ୍କ ପକ୍ଷରେ ସଂଗ୍ରହ କରିବା ସମ୍ଭବ ନୁହେଁ, ସାଧାରଣ ଲୋକଟିଏ ଏସବୁ ସଂଗ୍ରହ କରିବ କେମିତି !”…
ବିହାର ଏକ ଗରିବ ରାଜ୍ୟ ହୋଇଥିବା ବେଳେ ଶିକ୍ଷାଗତ ଯୋଗ୍ୟତାର ହାର ମଧ୍ୟ ବହୁତ କମ । ରୋଜଗାର ଉଦ୍ଦେଶ୍ୟରେ ୩ କୋଟିରୁ ଅଧିକ ଲୋକ ବାହାର ରାଜ୍ୟକୁ ଯାଇଥାନ୍ତି । ସରକାରୀ କାଗଜ ପତ୍ର ବାବଦରେ ପ୍ରାୟ ଅଧାରୁ ଅଧିକ ଲୋକଙ୍କର Access ନାହିଁ । ତେଣୁ ଏଭଳି ସ୍ଥିତିରେ ନିର୍ବାଚନ କମିଶନଙ୍କ SIR ଅଭିଯାନରେ ପ୍ରାୟ ୩ କୋଟି ଭୋଟର ସେମାନଙ୍କ ଭୋଟ ଦେବାର ଅଧିକାର ହରାଇବା ସମ୍ଭାବନା ରଖୁଛି । ଯାହା ସମ୍ବିଧାନରେ ନାଗରିକର ଅଧିକାର ସଂକ୍ରାନ୍ତ ଧାରା ୧୪, ୧୯, ୨୧, ୩୨୫ ଏବଂ ୩୨୬ର ଖୋଲା ଉଲ୍ଲଂଘନ କରୁଛି । ଏଥି ସହିତ ୧୯୫୦ ଲୋକ ପ୍ରତିନିଧି ଆଇନର ମଧ୍ୟ ଏହା ଅନେକାଂଶରେ ଉଲ୍ଲଂଘନ କରୁଥିବା ଅଭିଯୋଗ କରିଥିଲା Association for Democratic Reforms ବା ADRର କହିବା କଥା, ଏତେସବୁ କାଗଜପତ୍ର ସଂଗ୍ରହ କରିବାକୁ ବିହାରର ଗରିବ ଲୋକଙ୍କୁ ଏ ଅଫିସରୁ ସେ ଅଫିସକୁ ଯିବାକୁ ପଡ଼ିବ । ଲୋକଙ୍କର ବହୁ ଟଙ୍କା ଖର୍ଚ୍ଚ ହେବ । ବାହାରେ ରହୁଥିବା ଲୋକେ ଭୋଟ ଦେବା ପାଇଁ ଆସିବାକୁ ଯୋଜନା କରିଥିବା ବେଳେ ଏବେ ତାଙ୍କୁ ଅଧାରୁ କାମ ଛାଡ଼ି ଆସିବାକୁ ପଡିବ । ଲୋକେ ଆର୍ଥିକ କ୍ଷତି ସହିବେ ଏବଂ ପ୍ରମାଣପତ୍ର ଯୋଗାଡ଼ କରିପାରିବେ ନାହିଁ । ଯେଉଁଥି ପାଇଁ ସେମାନଙ୍କର ସବୁଠାରୁ ବଡ଼ ଅଧିକାର- ଭୋଟ ଦେବାର ଅଧିକାର, ପ୍ରାୟ ୩ କୋଟି ଲୋକ ହରାଇବେ ବୋଲି ଯୁକ୍ତି ଦର୍ଶାଇ ଥିଲା ADR । ସବୁଠାରୁ ବଡ଼ କଥା ହେଲା, ଏତେ ବଡ଼ ଅଭିଯାନ ପଛର ଉଦ୍ଦେଶ୍ୟ କଣ, ତାହା ନିର୍ବାଚନ କମିଶନ ସ୍ପଷ୍ଟ କରି ନାହାନ୍ତି ।
୧୯୪୭ରୁ ଦେଶ ସ୍ବାଧୀନ ହେଲାଣି । କିନ୍ତୁ ପରିତାପର ବିଷୟ, ଦେଶର କୌଣସି ବ୍ୟକ୍ତିଙ୍କ ପାଖରେ ନାହିଁ ନାଗରିକତାର ପ୍ରମାଣପତ୍ର । ସରକାରୀ ପ୍ରଦତ୍ତ କିଛି ପତ୍ର ବା କାର୍ଡକୁ ନାଗରିକତା ପ୍ରମାଣର ଆଧାର ଭଳି ଗ୍ରହଣ କରାଯାଉଛି । ଲୋକଙ୍କୁ ଯେତେ କାର୍ଡ ମିଳିଛି, ସେ ସବୁଠାରୁ ଆଧାର କାର୍ଡ ସବା ଉପରେ । କାରଣ ଆଧାର କାର୍ଡରେ ବ୍ୟକ୍ତିର ସମସ୍ତ Bio-metric ତଥ୍ୟ ରହିଛି । କିନ୍ତୁ କମିଶନ ତାହା ଗ୍ରହଣ କରିବାକୁ ନାରାଜ । ସେପଟେ NRC କରି, ଲୋକଙ୍କୁ ଯଦି ନାଗରିକତାର ପ୍ରମାଣତ୍ର ଦେବାର ଥିଲା, ତେବେ ଆସାମରେ କାହିଁକି ତାହା କରାଯାଇ ନାହିଁ ? ଆସାମରେ ଏନଆରସି ସରିଥିବା ବେଳେ ଭାରତୀୟ ନାଗରିକ ପ୍ରମାଣିତ ହୋଇଥିବା ଲୋକଙ୍କୁ କାହିଁକି ଏଯାଏ, ନାଗରିକତାର ପ୍ରମାଣପତ୍ର ପ୍ରଦାନ କରାଯାଇ ନାହିଁ ?











