ନବୀନଙ୍କୁ ସମର୍ଥନ ମାଗିଲେ ନୀତିଶ : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ହରିବଂଶ ନାରାୟଣ ସିଂହଙ୍କୁ ବିଜେଡ଼ିର ଭୋଟ୍ ଲାଗି ଅନୁରୋଧ
ଭୁବନେଶ୍ବର, (ଓଡିଶା ଟାଇମ୍) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଜି ଫୋନ ଯୋଗେ କଥା ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ନେଇ ନୀତିଶ ନବୀନଙ୍କ ସମର୍ଥନ ଲୋଡିଛନ୍ତି । ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କ ପାଇଁ ସମର୍ଥନ ମାଗିଛନ୍ତି ନୀତିଶ ।
ତେବେ ଆଗକୁ ହେବାକୁ ଥିବା ରାଜ୍ୟସଭାର ଉପାଧ୍ୟକ୍ଷ ପଦର ନିର୍ବାଚନ ପାଇଁ ବିଜେଡି ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କଥା ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଉଭୟ ପାର୍ଟିର ସୁପ୍ରିମୋଙ୍କ ମଧ୍ୟରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ନେଇ କଥାବାର୍ତ୍ତା ହୋଇଛି ।
ଉପାଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିଥିବା ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିବାକୁ ବିଜେଡି ସୁପ୍ରିମୋଙ୍କୁ ଅନୁରୋଧ କରିଛନ୍ତି ଜେଡିୟୁ ସୁପ୍ରିମୋ ନୀତିଶ କୁମାର । ବିଜେଡି ଦଳ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ ଦେବା ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ହରିବଂଶଙ୍କୁ ସମର୍ଥନ ନେଇ କୌଣସି ଘୋଷଣା କରାଯାଇନାହିଁ । ସେହିପରି ଗତ ରାଜ୍ୟସଭାର ଉପାଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନରେ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିଥିଲା ବିଜେଡି ।