ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
ଭୁବନେଶ୍ବର, (ଓଡିଶା ଟାଇମ୍): ବୁଧବାର ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ। ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୬ଟି କାର୍ଯ୍ୟ ଦିବସ ରହିଛି। ବିଧାନସଭା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ମଙ୍ଗଳବାର ସବୁ ଦଳର ବିଧାୟକ ଦଳ ବୈଠକ ବସୁଛି। ବିଜେଡି ବିଧାୟକ ଦଳ ବୈଠକ ଅପରାହ୍ନରେ ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ। ସେହିପରି ବିଜେପି ବିଧାୟକ ଦଳ ବୈଠକ ପୂର୍ବାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। କଂଗ୍ରେସ ବିଧାୟକ ଦଳ ବୈଠକ ଅପରାହ୍ନରେ କଂଗ୍ରେସ ଭବନରେ ବସିବ । ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିବେ । ସେପଟେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ବିଜେଡି ମଧ୍ୟ ତାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବ ।
ତେବେ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସୋମବାର ସର୍ବଦଳୀୟ ବୈଠକ ବସିଥିଲା। ତେବେ ଗତ ଅଧିବେଶନ ପରି କୋଭିଡ୍ କଟକଣାରେ ଗୃହ ଚାଲିବ। ଗୃହ କାର୍ଯ୍ୟରେ ସହଯୋଗ କରିବା ପାଇଁ ବାଚସ୍ପତି ସବୁ ଦଳକୁ ଅନୁରୋଧ କରିଥିଲେ। ଆସନ୍ତାକାଲି ବିଧାନ ଶୀତ ଅଧିବେଶନ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ। ଅନ୍ୟ ଦିନରେ ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ନ ୧ଟା ୩୦ ମିନିଟ୍ ଏବଂ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଚାଲିବ ଗୃହ କାର୍ଯ୍ୟ । ପ୍ରଥମ ଦିନରେ ଦିବଂଗତ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହେବ ଏବଂ ତାଙ୍କ ସମ୍ମାନାର୍ଥେ ଗୃହ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୁଲତବୀ ରହିବ। ଆସନ୍ତାକାଲି ଅପରାହ୍ନ ୫ଟାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଆଗତ ହେବ।