ସଂସଦୀୟ ଢ଼ାଞ୍ଚାରେ ହେବ ବିଧାନସଭା ମୌସୁମୀ ଅଧିବେଶନ
ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଥର ସଂସଦୀୟ ଢ଼ାଞ୍ଚାରେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିବ। ଏ ନେଇ ମଙ୍ଗଳବାର ବିଧାନସଭା ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେପ୍ଟେମ୍ବର ୨୯ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ। ଏଥିରେ ୮ଟି କାର୍ଯ୍ୟ ଦିବସ ରହିବ ।
ପ୍ରଶ୍ନକାଳ, ଶୂନ୍ୟକାଳ ଏବଂ ମୁଲତବୀ ଉପରେ ନିଷ୍ପତ୍ତି ଖୁବଶୀଘ୍ର ଆସିଯିବ । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ ହେବ । ଗୃହ ଭିତରେ ସାମାଜିକ ଦୂରତା ନିୟମ ପାଳନ କରାଯିବା ନେଇ ବ୍ୟବସ୍ଥା କରାଯାଉଛି । ସାମାଜିକ ଦୂରତା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବୟସ୍କ ବିଧାୟକମାନେ NIC, OCAC, ଏବଂ ଜିଲ୍ଲାପାଳଙ୍କ ଭିସି ହଲ୍ ରେ ରହିବେ । ଦର୍ଶକ ଗ୍ୟାଲେରିରେ ସାମାଜିକ ଦୂରତା ପ୍ରତି ଧ୍ୟାନ ଦିଆଯିବ । ବିଧାନସଭା ଭିତରକୁ ଗଣମାଧ୍ୟମ ପ୍ରତିନିଧି ଯିବା ନେଇ ୨ ଦିନ ଭିତରେ ନିଷ୍ପତ୍ତି ନିଆଯିବ । ଏବେ ସୁଦ୍ଧା ରାଜ୍ୟର ୨୯ ବିଧାୟକ, ୭ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି।