ଭୁବନେଶ୍ଵରରେ ବସ୍ତି ପାଇଁ ବେଶୀ ଟେନସନ୍ !
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀ ଭୁବନେଶ୍ଵରରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ଗତ ୨ ଦିନ ହେଲା ଏଠାରୁ ଦୈନିକ ୧୦୦ରୁ ଅଧିକ ପଜିଟିଭ୍ ବାହାରୁଛନ୍ତି । ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୫୦ ଉପରେ ରହୁଛି । ଧିରେଧିରେ ରାଜଧାନୀର ସମସ୍ତ ଅଞ୍ଚଳରେ କରୋନାର ପ୍ରଭାବ ପଡିଲାଣି । ପ୍ରତିଦିନ ନୂଆ ନୂଆ ଅଞ୍ଚଳରୁ କରୋନା ଗ୍ରାସ କରିବାରେ ଲାଗିଛି । ଏପରିକି ରାଜଧାନୀରେ ବସ୍ତିରେ ମଧ୍ୟ ସ୍ଥିତି ସଙ୍ଗୀ ରହିଛି ।
ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ୧୧୩୦ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୪୯୪ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୬୨୪ଟି ସକ୍ରିୟ କେସ୍ ରହିଛି । ୧୧ଜଣ ମଧ୍ୟ ଜୀବନ ହାରିଛନ୍ତି । ସବୁଠାରୁ ବଡ କଥା ହେଲା ଯେ କେବଳ କ୍ୱାରେଣ୍ଟାଇନ୍ ସେଣ୍ଟର ନୁହେଁ ବରଂ ସ୍ଥାନୀୟ ସଂକ୍ରମଣ ମଧ୍ୟ ହୁହୁ ହୋଇ ବଢିବାରେ ଲାଗିଛି । ଗତ ୧୮ ଦିନରେ ୮୧୦ଟି ନୂଆ କେସ୍ ଆସିଛି । ବସ୍ତି ଅଞ୍ଚଳ ଏବେ ହଟସ୍ପଟ୍ ପାଲଟିଛି ।ରାଜଧାନୀରେ ପ୍ରାୟ ୪୪୨ଟି ବସ୍ତି ରହିଛି । ଏହାମଧ୍ୟରୁ ୪୦ଟି ବସ୍ତିରେ କରୋନା ପଜିଟିଭ୍ ଚିହ୍ନଟ ହେଲେଣି । ପ୍ରାୟ ବସ୍ତି ପାଖାପାଖି ରହିଛି । ସବୁଠାରୁ ବଡ ବସ୍ତି ସାଲିଆ ସାହିରେ ମଧ୍ୟ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇଛି ।
ଯାହାକୁ ନେଇ ବିଏମସି ପ୍ରଶାସନର ନିଦ ହଜିଯାଇଛି । ବସ୍ତିରୁ ବସ୍ତିକୁ ବୁଲି ନମୂନା ସଂଗ୍ରହ ଓ ପରୀକ୍ଷଣ ଚାଲିଥିଲେ ମଧ୍ୟ ସ୍ଥାନୀୟ ସଂକ୍ରମଣ ବଢୁଛି । ୪୩୪ଟି ବସ୍ତିରେ ବିଏମସି ସର୍ଭେ କରିସାରିଲାଣି । ୪୩ହଜାରରୁ ଅଧିକ ବସ୍ତି ବାସିନ୍ଦାଙ୍କୁ ସର୍ଭେରେ ସାମିଲ କରାଯାଇଛି ।
ଜୁଲାଇର ଭୟାବହତା ଛାତି ଧଡ଼ଧଡ଼ କଲାଣି । ହୋସ୍ ଉଡ଼ାଇ ଦେଲାଣି ରାଜଧାନୀର ୧୧ଟି ଅଞ୍ଚଳର ଆକ୍ରାନ୍ତ ସଂଖ୍ୟା । ଯାହାକି ଜୁଲାଇରେ ପାଲଟିଛି ନୂଆ ହଟ୍ସ୍ପଟ୍ । ରସୁଲଗଡ଼ରୁ ଖଣ୍ଡଗିରି, ଲକ୍ଷ୍ମୀସାଗରରୁ ପଟିଆ, ନୂଆଗାଁରୁ ନୂଆପଲ୍ଲୀ ଭିତରେ ରହିଛି ଏହି ବହୁଳ ସଂକ୍ରମିତ ଇଲାକା । ଏସବୁ ଅଞ୍ଚଳରେ ୨୦ରୁ ଅଧିକ ଲେଖାଏଁ ପଜିଟିଭ୍ ବାହାରିଛନ୍ତି ଶେଷ ୧୮ ଦିନ ଭିତରେ । ଯାହାକି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପ୍ରଶାସନର ହୋସ୍ ଉଡ଼ାଇ ଦେଇଛି । ଅଗଷ୍ଟରେ ସ୍ଥିତି ଆହୁରି ସଙ୍ଗୀନ ହେବ ବୋଲି ବିଶେଷଜ୍ଞମାନେ କହି ସାରିଲେଣି ।
ଏଯାବତ୍ ୩୩ ପଜିଟିଭ୍ ଚିହ୍ନଟ ହେଲେଣି। ଡୁମୁଡୁମା ଲଗାତାର କରୋନା ହଟ୍ସ୍ପଟ୍ ପାଲଟିଛି । ଜୁନ୍ରେ ଏ ଅଞ୍ଚଳରୁ ମାଳମାଳ ଆକ୍ରାନ୍ତ ବାହାରିଥିଲେ । ଜୁଲାଇରେ ବି ଥମୁନି । ୨୭ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି ଜୁଲାଇ ପହିଲାରୁ ଆଜି ଯାଏଁ । ନୂଆଗାଁ ଭଳି ଗୋଟିଏ ଛୋଟ ଅଞ୍ଚଳରୁ ଜୁଲାଇର ୧୮ ଦିନରେ ୨୫ଜଣ ଆକ୍ରାନ୍ତ ବାହାରିଛନ୍ତି । ପ୍ରଥମେ ଗୋଟିଏ ପରିବାରର ବାପ, ପୁଅ କରୋନା ପଜିଟିଭ୍ ବାହାରିବା ପରେ କ୍ରମଶଃ ଗାଁରେ କରୋନା ବ୍ୟାପିବାରେ ଲାଗିଛି । ପୁରୁଣା ଭୁବନେଶ୍ୱର ଓ ଏହାର ପାଖାପାଖି ଅଞ୍ଚଳକୁ ବିଳମ୍ବରେ ପଶିଥିଲା କରୋନା । ମାତ୍ର ଏବେ ସ୍ଥିତି ଚିନ୍ତାଜନକ । ନିୟମିତ ଏସବୁ ଇଲାକାରୁ ଆକ୍ରାନ୍ତ ବାହାରୁଛନ୍ତି । ଚଳିତ ଜୁଲାଇରେ ଏଯାବତ୍ ୨୪ଜଣ ପଜିଟିଭ ବାହାରିଲେଣି । ରାଜଧାନୀର ବରମୁଣ୍ଡା ଅଞ୍ଚଳରୁ ପୂର୍ବରୁ ବିଶେଷ ଆକ୍ରାନ୍ତ ବାହାରୁନଥିଲେ । ଏବେ ସ୍ଥିତି ବିଗିଡ଼ଲାଣି ।